ଉଦଘାଟିତ ହେଲା ବିଶ୍ବର ସର୍ବୋଚ୍ଚ ଚେନାବ ସେତୁ, ଜମ୍ମୁ-କାଶ୍ମୀରକୁ 46 ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ମୋଦୀ
ଲୋକାର୍ପିତ ହେଲା ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ୍ ବ୍ରିଜ୍ । ଜାମ୍ମୁ-କାଶ୍ମୀର ଯାଇ ଦେଶବାସୀଙ୍କୁ ଚେନାବ୍ ବ୍ରିଜ୍ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଶ୍ରୀନଗର: ଭାରତର ରେଳ ଇତିହାସରେ ନୂଆ ଅଧ୍ୟାୟ । ଲୋକାର୍ପିତ ହେଲା ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ୍ ବ୍ରିଜ୍ । ଜାମ୍ମୁ-କାଶ୍ମୀର ଯାଇ ଦେଶବାସୀଙ୍କୁ ଚେନାବ୍ ବ୍ରିଜ୍ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 15 ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ସେତୁ । ଯାହାର ଉଚ୍ଚତା 359 ମିଟର ଥିବା ବେଳେ ଏହି ସେତୁର ଦୈର୍ଘ୍ୟ 1315 ମିଟର ରହିଛି । ଚେନାବ ବ୍ରିଜ୍ ପ୍ୟାରିସର ଆଇଫେଲ୍ ଟାୱାରଠାରୁ ୩୫ ମିଟର ଉଚ୍ଚ ।
ତେବେ 1.3 କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ 359 ମିଟର ଉଚ୍ଚରେ ନିର୍ମିତ ହୋଇଛି । USBRL ପ୍ରକଳ୍ପ ଅଧୀନରେ ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ରେଲୱେ ବ୍ରିଜ୍ ନିର୍ମାଣ କରାଯାଇଛି। ଏଥିପାଇଁ 1486କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ 30 ହଜାର ମେଟ୍ରିକ ଟନ ଇସ୍ପାତ ବ୍ୟବହାର କରାଯାଇଛି ।
ଜମ୍ମୁ-କାଶ୍ମୀରକୁ 46 ହଜାର କୋଟିର ପ୍ରକଳ୍ପ ଭେଟି
ଏହା ସହ ଜମ୍ମୁ-କାଶ୍ମୀରକୁ 46 ହଜାର କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପିଏମ୍ । କାତ୍ରାରୁ ଶ୍ରୀନଗରକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଚେନାବ ସହ ଅଞ୍ଜି ବ୍ରିଜର ବି ହେଲା ଲୋକାର୍ପଣ ।
ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ଚେନାବ ସେତୁ ଲୋକାର୍ପଣ ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । “ମାତା ବୈଷ୍ଣୋଦେବୀଙ୍କ ପାଇଁ ଆଜି ଏହି କାର୍ଯ୍ୟ ସଫଳ ହୋଇଛି । କାଶ୍ମୀରବାସୀଙ୍କ ପାଇଁ ଆଜି ଏକ ବଡ଼ ଉତ୍ସବର ଦିନ । କାଶ୍ମୀର ବାସୀଙ୍କ ସ୍ବପ୍ନ ଆଜି ପୂରଣ ହେଲା” ବୋଲି ମୋଦୀ କହିଛନ୍ତି। ଏହା ସହ 2 ବନ୍ଦେ ଭାରତ ଟ୍ରେନ ବି ଚାଲିଲା ଏବଂ 2 ମେଡିକାଲ କଲେଜର ଶିଳାନ୍ୟାସ ବି କଲେ ପ୍ରଧାନମନ୍ତ୍ରୀ ।
କତ୍ରାରେ ଜନସଭାକୁ ମଧ୍ୟ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଯେ, “ଆଜିର କାର୍ଯ୍ୟକ୍ରମ ଭାରତର ଏକତାର ପରିଚୟ । ବିକାଶର ନୂଆ ଯୁଗ ପାଇଁ ସମସ୍ତଙ୍କୁ ସୁଭେଚ୍ଛା । କାଶ୍ମୀରବାସୀଙ୍କ ଅନେକ ଦିନର ସ୍ବପ୍ନ ପୂରଣ ହେଲା । ଏହି ଚେନାବ ବ୍ରିଜ ଉଜ୍ଜ୍ବଳ ଭାରତର ଉଦାହରଣ । ଆହ୍ବାନକୁ ଆହ୍ବାନ ଦେବାର ରାସ୍ତା ବାଛିଛି” ।
ତେବେ ଏହି ସେତୁ 2009 ସୁଦ୍ଧା ପ୍ରସ୍ତୁତ ହେବାକୁ ଥିଲା । ମାତ୍ର ଏହି ଅବଧି ମଧ୍ୟରେ ଏହା ସରିନଥିଲା । ବର୍ତ୍ତମାନ ପ୍ରାୟ 2 ଦଶନ୍ଧି ପରେ ଚେନାବ ନଦୀ ଉପରେ ନିର୍ମିତ ଏହି ସେତୁ ପ୍ରସ୍ତୁତ ହୋଇଛି । ଏହି ବ୍ରିଜ୍ 40 କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ଏବଂ ରିକ୍ଟର ସ୍କେଲରେ 8 ମ୍ୟାଗ୍ନିଚ୍ୟୁଡ୍ ପର୍ଯ୍ୟନ୍ତ ଭୂକମ୍ପକୁ ସହ୍ୟ କରିପାରିବ। ସେତୁଟି ଆସନ୍ତା 120 ବର୍ଷ ପାଇଁ ନିର୍ମାଣ କରାଯାଇଛି ।