fbpx

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ପ୍ୟାରିସ୍ ପଦକ ବିଜେତାଙ୍କୁ ମିଳିବ ୩ କୋଟି ଟଙ୍କା ପୁରସ୍କାର ରାଶି

ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଅଲିମ୍ପିକ କ୍ରୀଡ଼ାକୁ ନେଇ ବଡ଼ ଘୋଷଣା କରିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଜିତିଥିବା ଛତିଶଗଡ଼ ଖେଳାଳିଙ୍କୁ ୧ରୁ ୩ କୋଟି ଟଙ୍କା ପୁରସ୍କାର ରାଶି ଦେବା ପାଇଁ ଘୋଷଣା କରିଛନ୍ତି । ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଥିବା ଅଧିକାରିକ ସୂତ୍ରରୁ ପ୍ରକାଶ ।

ଅଗଷ୍ଟ ୨୯ରେ ପଣ୍ଡିତ ଦୀନ୍ ଦୟାଲ ଉପାଧ୍ୟାୟ ଅଡିଟୋରିୟମରେ ଆୟୋଜିତ ରାଜ୍ୟ କ୍ରୀଡ଼ା ଅଳଙ୍କରଣ ସମାରୋହରେ ବିଭିନ୍ନ କ୍ରୀଡ଼ା ବିଭାଗର ପ୍ରାୟ ୫୦୨ ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ପୁରସ୍କୃତ କରାଯିବା ସହ ୧ କୋଟି ୩୬ ଲକ୍ଷ ଟଙ୍କା ବଣ୍ଟନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏହି ସମାରୋହକୁ ସମ୍ବୋଧିତ କରି କହିଥିଲେ, ‘ଗତ ୫ ବର୍ଷରେ ରାଜ୍ୟରେ ରାଜ୍ୟ କ୍ରୀଡ଼ା ଅଳଙ୍କରଣ ସମାରୋହ ଅୟୋଜିତ ହୋଇନଥିବା ନେଇ ଦୁଃଖ ପ୍ରକାଶ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ ୧୪ରେ ପ୍ରଥମ ରାଜ୍ୟ କ୍ରୀଡ଼ା ଅଳଙ୍କରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ନିକଟରେ ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରା, ମନୁ ଭାକର, ସରବଜୋତ ସିଂହ, ସ୍ୱପ୍ନିଲ କୁସାଲେ, ଅମନ ଶେହରାୱତଙ୍କ ଭଳି ପଦକ ବିଜେତା ଭାରତ ମାତାଙ୍କୁ ଗୌରାନ୍ୱିତ କରିଛନ୍ତି । ଛତିଶଗଡ଼ରେ କ୍ରୀଡ଼ା ପ୍ରତିଭାକୁ ଆଗକୁ ନେବା ପାଇଁ ଆମେ ପ୍ରତିବଦ୍ଧ । ଆଗାମୀ ଦିନରେ ଆମେ କ୍ରୀଡ଼ା ପ୍ରତିଭାକୁ ଭଲ ସୁବିଧା ଏବଂ ତାଲିମ ପ୍ରଦାନ କରିବୁ ଯଦ୍ୱାରା ସେମାନେ ଆନ୍ତର୍ଜାତୀୟ ସ୍ତରରେ ଭଲ ଖେଳିବେ ଏବଂ ନିଜ ପ୍ରତିଭା ଦ୍ୱାରା ଦେଶର ପତାକା ଉଚ୍ଚା କରିପାରିବେ ।’ ସେ ଆହୁରି ମଧ୍ୟ କହିଛନ୍ତି କି ଅଲିମ୍ପିକ କ୍ରିଡ଼ାରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୩ କୋଟି ଟଙ୍କା, ରୌପ୍ୟ ପଦକ ବିଜେତାଙ୍କୁ ୨ କୋଟି ଟଙ୍କା ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।

Get real time updates directly on you device, subscribe now.