fbpx

ବାଲେଶ୍ବର ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାଲେଶ୍ବର ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା । ସମୀକ୍ଷା ପରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ମରାମତି ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା । ପକ୍କା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୬ ହଜାର ୫୦୦ ଟଙ୍କା । କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୪ ହଜାର ଟଙ୍କା । ଭାଙ୍ଗି ଯାଇଥିବା କୁଡ଼ିଆ ଘର ୮ ହଜାର, ଗୁହାଳ ପାଇଁ ୩ ହଜାର । କ୍ଷତିଗ୍ରସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସହାୟତା ଘୋଷଣା । ଅଣଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା । ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିଭଳି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାଲିଚର ସହାୟତା ( ଯଦି ୩ ଇଞ୍ଚରୁ ଉର୍ଦ୍ଧ ବାଲିଚର ହୋଇଥାଏ) ହେକ୍ଟର ପିଛା ୧୮,୦୦୦ ଟଙ୍କା, ସର୍ବନିମ୍ନ ୨୨୦୦ ଟଙ୍କା, ମାଛଚାଷ ପୋଖରୀର ମରାମତି ଓ ପଙ୍କ ଉଦ୍ଧାର ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା, ସର୍ବନିମ୍ନ ୨୨୦୦ ଟଙ୍କା, ଯଦି ଚାଷ ଜମିର ଅନେକାଂଶ ଭୂସ୍ଖଳନ ଯୋଗୁଁ, ନଦୀର ଗତିପଥ ପରିବର୍ତ୍ତନ ଯୋଗୁଁ କ୍ଷୟ ହୋଇଥାଏ ତେବେ ହେକ୍ଟର ପିଛା ୪୭,୦୦୦ ଟଙ୍କା । ଏଥିପାଇଁ ଚାଷୀ ପିଛା ସର୍ବନିମ୍ନ ୫୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ ।

ମତ୍ସ୍ୟଜୀବି ମାନଙ୍କ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬,୦୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ଜାଲ ପାଇଁ ୩୦୦୦ ଟଙ୍କା, ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପାଇଁ ୧୫,୦୦୦ ଟଙ୍କା, ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜାଲ ପାଇଁ ୪,୦୦୦ ଟଙ୍କା ଓ ମତ୍ସ୍ୟ ଯାଆଁଳ ଚାଷ (Fish seed farm) ର କ୍ଷତି ପାଇଁ ହେକ୍ଟର ପିଛା – ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ।

ମୃତ ଗୃହପାଳିତ ପଶୁମାନଙ୍କ ପାଇଁ ଦୁଧିଆଳୀ ପଶୁ ଯଥା ମଇଁଷି, ଗାଈ ପିଛା ୩୭,୫୦୦ ଟଙ୍କା, ଛେଳି ବା ମେଣ୍ଢା ପିଛା ୪୦୦୦ ଟଙ୍କା, ଭାରବାହୀ ପଶୁ ଯଥା ବଳଦ, ମଇଁଷି, ଘୋଡ଼ା ପିଛା ୩୨,୦୦୦ ଟଙ୍କା, ବାଛୁରୀ, ଗଧ ଏବଂ ଖଚର ପିଛା ୨୦,୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହି ସହାୟତା ରାଶି ଗୋଟିଏ ପରିବାରର ୩ଟି ବଡ଼ ଦୁଗ୍ଧ ପ୍ରଦାନକାରୀ ପଶୁ ବା ୩୦ଟି ଛୋଟ ଦୁଗ୍ଧ ପ୍ରଦାନକାରୀ ପଶୁ କିମ୍ବା ୩ଟି ବୃହତ ଭାରବାହୀ ପଶୁ ବା ୬ଟି ଛୋଟ ଭାରବାହୀ ପଶୁଙ୍କ ପର୍ଯ୍ୟନ୍ତ ସିମିତ ରହିବ ।

ହସ୍ତଶିଳ୍ପ, ହସ୍ତତନ୍ତ କାରିଗରମାନଙ୍କୁ ଯନ୍ତ୍ରାଂଶ ନଷ୍ଟ ବା ପ୍ରତିସ୍ଥାପନ ପାଇଁ ଗ୍ରାମୀଣ କାରୀଗର ପିଛା ୫୦୦୦ ଟଙ୍କା ଓ ବିଭିନ୍ନ ଆନୁସଙ୍ଗିକ ଦ୍ରବ୍ୟ ପାଇଁ ଗ୍ରାମୀଣ କାରୀଗର ପିଛା ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

Get real time updates directly on you device, subscribe now.