fbpx

ଝାରସୁଗୁଡ଼ାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଭାଷଣରେ କହିଲେ ଏପରି

ଝାରସୁଗୁଡା(ଓଡ଼ିଶା ଭାସ୍କର): ଝାରସୁଗୁଡ଼ାବାସୀଙ୍କୁ ଆଜି ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠାରୁ ଜିଲ୍ଲାର ୧.୧୬ ଲକ୍ଷ ଲୋକଙ୍କୁ ବିଏସକେୟାଇ ସ୍ମାର୍ଟ କାର୍ଡ ବଣ୍ଟାଯିବ । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ଝାରସୁଗୁଡ଼ାବାସୀଙ୍କୁ ସେ ୩୧୨ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି । ୧୪୪ କୋଟି ଟଙ୍କାର ପ୍ରକଳ୍ପର ଭର୍ଚୁଆଲ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ୧୬୮ କୋଟି ଟଙ୍କାର ନୂଆ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ବ୍ରଜରାଜନଗର ବିଧାୟକ ଉପସ୍ଥିତ ରହିଥିଲେ ।

ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଛନ୍ତି ଯେ, ‘ଝାରସୁଗୁଡା ବିକାଶର ଧାରାରେ ସାମିଲ ହୋଇ ଆଗେଇ ଚାଲିଛି । ଝାରସୁଗୁଡାରେ ୬୧୮ କୋଟିର ପାନୀୟ ଜଳ ପ୍ରକଳ୍ପ କାମ ଚାଲିଛି । ୨୦୨୨ ସୁଦ୍ଧା ସବୁ ଘରକୁ ପାଇପ୍ ପାଣି ଯୋଗାଇ ଦିଆଯିବ । ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପରେ ବହୁ ଜମି ଜଳସେଚିତ ହୋଇଛି । ଆଉ ୪ଟି ମେଗା ଜଳସେଚନ ପ୍ରକଳ୍ପ କାମ ବି ଚାଲିଛି । ଝାରସୁଗୁଡାରେ ୧୦୦ ଶର୍ଯ୍ୟା କାର୍ଡିଓ କେୟାର ହସ୍ପିଟାଲ କାମ ଚାଲିଛି । ୧୦୦ କୋଟିରୁ ଅଧିକ ଟଙ୍କାର ଏହି ହସ୍ପିଟାଲ କାମ ଶୀଘ୍ର ସରିବ ।’

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଚାଷୀ ହେଉ କି ରିକ୍ସାବାଲା, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ୍ । ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ମୋତେ ଦୁଃଖ ଦିଏ । ରାଜ୍ୟରେ ବିଏସକେୟାଇ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ । ଏଭଳି ସ୍ୱାସ୍ଥ୍ୟ ସୁବିଧା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ।’

Get real time updates directly on you device, subscribe now.