ଭୁବନେଶ୍ୱର,୨୬ା୧: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଶନିବାର ଚୋରି ହୋଇଛି । ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିରଞ୍ଜନଙ୍କ ସହ ଫୋନରେ କଥା ହୋଇଛନ୍ତି । ନିରଞ୍ଜନଙ୍କ ସହ ଫୋନ କଥା ହୋଇ ଚୋରି ସମ୍ପର୍କରେ ପଚାରି ବୁଝିବା ସହ ତଦନ୍ତ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ନିରଞ୍ଜନଙ୍କ ଆଇଆରସି ଭିଲେଜ୍ ସ୍ଥିତ ବାସଭବନରୁ ଗତକାଲି ରାତି ପ୍ରାୟ ଅଢ଼େଇଟା ସମୟରେ କେହି ଆଲମିରା ଲକର୍ ତାଡ଼ି ଲୁଟ୍ କରି ଫେରାର ହୋଇଯାଇଛନ୍ତି ।
ପୂରା ଘଟଣା ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ଅନୁସାରେ, ନିରଞ୍ଜନଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି ହୋଇଛି । ନିରଞ୍ଜନ କହିଛନ୍ତି, ଦ୍ୱିତୀୟ ମହଲାରେ ମୋର ବଡ଼ ପୁଅ,ବୋହୂ ଓ ମୋର ୨ ପୁଅ ରୁହନ୍ତି । ସେହି ଘରେ ଚୋରି ହୋଇଛି । ଚୋରମାନେ ବିଳମ୍ବିତ ରାତିରେ ଘରେ ପଶିଥିଲେ । ଯେଉଁ ଚୋର ଚୋରି କରିଛି ସେ ପ୍ରଫେସନାଲ ଚୋର । ଚୋରଟି ହାତରେ ଗ୍ଲୋଭସ ପିନ୍ଧିଥିଲା ଓ ମୁହଁରେ କଳାପଟି ବାନ୍ଧିଥିଲା ।
ଚୋରି ସମୟରେ ପୁଅ-ବୋହୂ ନଥିଲେ। ୨ନାତି ବଡ଼ ଭାଇ ଘରକୁ ଯାଇଥିଲେ। ରାତି ୨ଟା ସମୟରେ ସେମାନେ ଫେରିଥିଲେ। ସେହି ସମୟରେ ଚୋର ଘରେ ଥିଲା। ପରେ ଚୋରଟି ବଡ଼ ପୁଅ ରୁମରୁ ଟଙ୍କା ଓ ସୁନା ନେଇ ଝରକା ଡେଇଁ ଚମ୍ପଟ ମାରିଥିଲା। ସିକ୍ୟୁରିଟି ଢୁଳାଉଥିବାରୁ ଚୋର ଘରେ ପଶି ସବୁ ଲୁଟିନେଇ ଗଲେ ବୋଲି ନିରଞ୍ଜନ କହିଛନ୍ତି।