ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏପ୍ରିଲ ୧ରୁ ପିଛିଲା ଭାବେ ଲାଗୁ ହେବ ମହଙ୍ଗା ଭତ୍ତା

ଭୁବନେଶ୍ୱର,୧ା୫: ବିଶ୍ୱ ଶ୍ରମିକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରମିକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ସ୍ଥାନୀୟ ଓୟୁଏଟି କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ  ଉଦ୍‌ବୋଧନ ଦେଇ କହିଛନ୍ତି, ଦଶନ୍ଧି ଦଶନ୍ଧି ଧରି ଦେଶର ପ୍ରଗତି ଚକ୍ରକୁ ଶ୍ରମିକମାନେ ଅବିରତ ଭାବେ ଚଳେଇ ବିକାଶରେ ନିଜର ଯୋଗଦାନ ନିରବଚ୍ଛିନ୍ନ ଭାବେ ଦେଇଆସୁଛନ୍ତି। ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ ଆମ ସରକାର ରାଜ୍ୟର ତଳ ପାହଚରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି।

ଭୁବନେଶ୍ୱରର ଦୁଇଟି ପ୍ରମୁଖ ଶ୍ରମିକ ପ୍ରତୀକ୍ଷା ସ୍ଥାନ- ଡୁମ୍‌ଡୁମା ଏବଂ କଳ୍ପନା ଛକଠାରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ର ଉଦ୍‌ଘାଟନ କରିଥିଲେ। ଏହି ପ୍ରତୀକ୍ଷା କେନ୍ଦ୍ରରେ ଶ୍ରମଜୀବୀମାନଙ୍କ ପାଇଁ ସାମୟିକ ଆଶ୍ରୟ ସ୍ଥଳର ସୁବିଧା ସହିତ ପାନୀୟ ଜଳ, ଶୌଚାଳୟ ଓ ପାର୍କ ଆଦିର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ କଟକ, ରାଉରକେଲା, ସମ୍ବଲପୁର, କେନ୍ଦୁଝର, ବ୍ରହ୍ମପୁର ଭଳି ଅନ୍ୟ ସହରାଞ୍ଚଳରେ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ନିର୍ମାଣ କରାଯିବ । ଏହି କେନ୍ଦ୍ରଗୁଡିକ ଶ୍ରମଜୀବୀମାନଙ୍କ ଗରିମା ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏଥି ସହିତ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବଣ୍ଟନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ ଥିବା ବିଭିନ୍ନ ସଂଗଠିତ ତଥା ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ ଆଇନଗତ ଅଧିକାର ଓ ସାମାଜିକ ସୁରକ୍ଷା ଦିଗରେ ସର୍ବଦା ଯତ୍ନବାନ ହୋଇ କାର୍ଯ୍ୟ କରିଆସୁଛି।

ସେ କହିଥିଲେ, ନିର୍ବାଚନ ପୂର୍ବରୁ ଆମର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଏହି ବୋର୍ଡ଼ ଅଧିନରେ ପ୍ରଦାନ କରାଯାଉଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ସାଧାରଣ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ଏବଂ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୪ ଲକ୍ଷ ଟଙ୍କାରୁ ୬ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧିନରେ ଅଦ୍ୟାବଧି ପାଖାପାଖି ୪୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇ ବିଭିନ୍ନ ସହାୟତା ବାବଦରେ ୩,୯୫୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ଦିଆଯାଇ ସାରିଲାଣି, ଯାହାକି ସେମାନଙ୍କର ଏବଂ ସେମାନଙ୍କ ପରିବାରର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇପାରିଛି। ଆମ ସରକାର କ୍ଷମତାକୁ ଆସିଲା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ନୂତନ ଭାବେ ପଞ୍ଜୀକୃତ କରିବା ସହିତ ୩୭୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

ଆଜି ସାରା ରାଜ୍ୟରେ ଏକକାଳୀନ ପାଖାପାଖି ୩ ହଜାର ଯୋଗ୍ୟ ନିର୍ମାଣ ଶ୍ରମିକମାନଙ୍କୁ ନୂତନ ଭାବେ ପରିଚୟପତ୍ର ପ୍ରଦାନ କରାଯାଇଛି ଏବଂ ଯୋଗ୍ୟ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ବାବଦରେ ୪୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ କରାଯାଇଛି। ସେ କହିଥିଲେ ଯେ, ଏହା ଆମ ସରକାରର କାର୍ଯ୍ୟଦକ୍ଷତାର ଏକ ବଳିଷ୍ଠ ଉଦାହରଣ ଅଟେ । ନୂତନ ଜ୍ଞାନ କୌଶଳର ଉପଯୋଗ କରି ଶ୍ରମିକମାନଙ୍କୁ ବିଭିନ୍ନ ସେବା ଯୋଗାଇଦେବା ଆମ ସରକାରଙ୍କର ପ୍ରାଥମିକତା।

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ବିଭିନ୍ନ ସେବାକୁ ଶ୍ରମିକମାନଙ୍କ ହାତ ପାହାନ୍ତାରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ୍ ଆପ୍‌’ର ଶୁଭାରମ୍ଭ କରିଥିଲେ। ଏହାଦ୍ୱାରା ଶ୍ରମିକମାନେ ସହଜରେ ଏବଂ ସୁବିଧାରେ ଘରେ ବସି ବିଭିନ୍ନ ସେବା ପାଇ ପାରିବେ । ଏହି ମୋବାଇଲ୍ ଆପ୍, ଅନ୍‌ଲାଇନ୍ ଶ୍ରମିକ ପଞ୍ଜୀକରଣ, ନବୀକରଣ ତଥା ସହାୟତା ନିମନ୍ତେ ଆବେଦନ ଆଦି ସେବା ପାଇବା ଦିଗରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ ।

ସେହିପରି ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼ ଅଧିନରେ ୬୦ଗୋଟି ବର୍ଗର ଅଣସଂଗଠିତ ଶ୍ରମିକମାନଙ୍କୁ ପଞ୍ଜୀକୃତ କରି ସେମାନଙ୍କୁ ବିଭିନ୍ନ କଲ୍ୟାଣମୂଳକ ସହାୟତା ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି । ଅଦ୍ୟାବଧି, ଏହି ବୋର୍ଡ଼ ଅଧୀନରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଅଣସଂଗଠିତ ଶ୍ରମିକ ପଞ୍ଜୀକୃତ ହୋଇଥିବାବେଳେ ୨୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସବୁ ପଦକ୍ଷେପ ଦ୍ୱାରା ରାଜ୍ୟର ସମସ୍ତ ଯୋଗ୍ୟ ଅଣସଂଗଠିତ ଶ୍ରମିକ ଏହି ବୋର୍ଡ଼ରେ ପଞ୍ଜୀକୃତ ହୋଇ ସାମାଜିକ ସୁରକ୍ଷା ବଳୟର ପରିସରଭୁକ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀ ଶ୍ରମିକ ଭାଇ ଓ ଭଉଣୀମାନଙ୍କ ନିମନ୍ତେ ସର୍ବନିମ୍ନ ମଜୁରି ସଂଶୋଧନ କରି ବର୍ଷକ ଭିତରେ ଦୈନିକ ସର୍ବନିମ୍ନ ମଜୁରିରେ ହାରାହାରି ୧୦୦ ଟଙ୍କାର ବୃଦ୍ଧି କରାଯାଇଛି । ଧାର୍ଯ୍ୟ ସର୍ବନିମ୍ନ ମଜୁରି ଉପରେ ପରିବର୍ତ୍ତନୀୟ ମହଙ୍ଗା ଭତ୍ତା ଦୈନିକ ୧୦ ଟଙ୍କା ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି । ଏହା ପିଛିଲା ଭାବେ ଏପ୍ରିଲ୍ ୧ ତାରିଖରୁ ଲାଗୁ ହେବ।

କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର,ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଅଭିଭାଷଣ ରଖିଥିଲେ।

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍ ସ୍ୱାଗତ ଭାଷଣ ଦେଇଥିବାବେଳେ ଶ୍ରମ ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।