ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ସ୍କୁଲରେ ଗୀତାପାଠ ବାଧ୍ୟତାମୂଳକ, ଖୁବଶୀଘ୍ର ଆସିବ ଗାଇଡଲାଇନ୍

ଡେରାଡୁନ୍,୧୬ା୭ ଉତ୍ତରାଖଣ୍ଡ ସରକାର ରାଜ୍ୟର ସ୍କୁଲଗୁଡ଼ିକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ସମସ୍ତ ସ୍କୁଲରେ ପ୍ରାର୍ଥନା ସଭା ସମୟରେ ଭଗବଦ୍ ଗୀତାର ଶ୍ଳୋକ ପାଠ କରିବା ବାଧ୍ୟତାମୂଳକ ହେବ। ଏହି ନିଷ୍ପତ୍ତି ଘୋଷଣା କରି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ, ଭଗବତ ଗୀତାର ଜ୍ଞାନ କେବଳ ଧାର୍ମିକ ନୁହେଁ, ବରଂ ଏହା ନୈତିକତା ଏବଂ ଜୀବନ ମୂଲ୍ୟବୋଧ ମଧ୍ୟ ଶିଖାଏ। ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ଏବଂ ଦାୟିତ୍ୱବାନ ନାଗରିକ କରିବାରେ ମଧ୍ୟ ସାହାଯ୍ୟ କରିବ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଦ୍ୱାରା ଜାରି ଏକ ବିବୃତ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଏହି ନିଷ୍ପତ୍ତି କୌଣସି ଗୋଟିଏ ଧର୍ମକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇନାହିଁ। ଏହାର ଉଦ୍ଦେଶ୍ୟ ଶିକ୍ଷା ମାଧ୍ୟମରେ ଯୁବପିଢ଼ିକୁ ଭାରତୀୟ ଦର୍ଶନ ଏବଂ ସଂସ୍କୃତି ପହଞ୍ଚାଇବା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଗୀତାର ଶ୍ଳୋକଗୁଡ଼ିକରେ ଜୀବନକୁ ସଠିକ ଦିଗଦର୍ଶନ ଦେଉଥିବା ଶିକ୍ଷା ରହିଛି। ଏହା ଛାତ୍ରଛାତ୍ରୀମାନଙ୍କୁ ନୈତିକତା, ଆତ୍ମ-ଅନୁଶାସନ ଏବଂ ସମାଜ ପ୍ରତି ଦାୟିତ୍ୱର ପାଠ ପଢ଼ାଇବ।’

 

ଏହି ନିଷ୍ପତ୍ତି ସରକାରୀ ଏବଂ ବେସରକାରୀ ସ୍କୁଲଗୁଡ଼ିକ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ। ଶିକ୍ଷା ବିଭାଗ ଖୁବ୍ ଶୀଘ୍ର ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିବ। ସରକାର ବିଶ୍ୱାସ କରନ୍ତି ଯେ ଗୀତାର ଶ୍ଳୋକ ପାଠ କରିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଚରିତ୍ର ଗଠନରେ ସାହାଯ୍ୟ ହେବ ନାହିଁ ବରଂ ସେମାନଙ୍କୁ ଭାରତୀୟ ସଂସ୍କୃତି ବିଷୟରେ ଗଭୀର ବୁଝାମଣା ମଧ୍ୟ ମିଳିବ। ଏହି ପଦକ୍ଷେପକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି। କିଛି ଲୋକ ଏହାକୁ ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପଦକ୍ଷେପ ବୋଲି ବିବେଚନା କରୁଥିବା ବେଳେ କିଛି ଲୋକ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ପଦକ୍ଷେପ ସମସ୍ତ ଧର୍ମକୁ ସମ୍ମାନ ଦେଇ କେବଳ ଶିକ୍ଷା ଉଦ୍ଦେଶ୍ୟରେ ନିଆଯାଇଛି।