fbpx

ଗଣେଶଙ୍କ ମୂର୍ତ୍ତିକୁ ଧରି ସମୁଦ୍ର ମଝିରେ ଓହଳି ରହିଥିଲା ୧୪ ବର୍ଷର ବାଳକ, ୨୪ ଘଣ୍ଟା ପରେ ସଂପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ହେଲା ଉଦ୍ଧାର

ସୁରଟ: ଏଠାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ପାଟିରୁ ସ୍ୱତଃ ବାହାରି ଆସିବ ଗଣପତି ବାପା ଜୟ ହୋ । ସୁରଟର ୫ ଶ୍ରେଣୀର ଛାତ୍ର ଲଖନ ମନ୍ଦିରକୁ ଭଗବାନଙ୍କ ଦର୍ଶନ ଲାଗି ଯାଇଥିଲା । କିନ୍ତୁ ସେଠାରୁ ସେ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବା ଲାଗି ସମୁଦ୍ର କୂଳରେ ପହଞ୍ଚି ଯାଇଥିଲା । ଏହାପରେ ସେ ଗଣେଶଙ୍କ ମୂର୍ତ୍ତି ସହିତ ଧୀରେ ଧୀରେ ପାଣି ମଧ୍ୟକୁ ଚାଲିଯାଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଲଖନ ଘରକୁ ନ ଫେରିବାରୁ ପରିବାର ଲୋକେ ତାକୁ ଚାରିଆଡେ ଖୋଜାଖୋଜି କରିଥିଲେ । କିନ୍ତୁ ଲଖନର ପତ୍ତା ମିଳି ନ ଥିଲା । ଏହାପରେ ସମସ୍ତେ ଭାବି ନେଇଥିଲେ ଯେ, ଲଖନ ଆଉ ଜୀବିତ ନାହିଁ । କିନ୍ତୁ ଏହାପରେ ଏପରି ଚମତ୍କାର ହୋଇଥିଲା ଯାହା ଜାଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ ।

ଲଖନକୁ ଗଭୀର ସମୁଦ୍ରରେ ବିସର୍ଜିତ କରାଯାଇଥିବା ଶ୍ରୀଗଣେଶଙ୍କ ମୂର୍ତ୍ତି ନିକଟରୁ ଉଦ୍ଧାର କରାଯାଇଥିଲା । ସେ ସମୁଦ୍ରରେ ୨୪ ଘଣ୍ଟା ପର୍ଯ୍ୟନ୍ତ ମୂର୍ତ୍ତିକୁ ଧରି ଓହଳି ରହିଥିଲା । ସମୁଦ୍ର କୂଳ ଠାରୁ ବହୁ ଦୂରରେ ଲଖନ ଗଣେଶଙ୍କ ମୂର୍ତ୍ତି ସାହାରାରେ ଓହଳି ରହିଥିଲା । ଏହି ସମୟରେ ସେହି ବାଟ ଦେଇ ମାଛଧରା ଡଙ୍ଗା ନବଦୁର୍ଗା ଅତିକ୍ରମ କରିଥିଲା । ଲଖନ ଡଙ୍ଗାକୁ ଦେଖି ହାତ ହଲାଇବା ସହ ପାଟି କରିଥିଲା । ଏହା ଦେଖି ମତ୍ସ୍ୟଜୀବୀମାନେ ତୁରନ୍ତ ସେଠାରେ ପହଞ୍ଚି ଲଖନକୁ ଡଙ୍ଗାରେ ବସାଇ ଆଣିଥିଲେ ।

ଏହାପରେ ତାକୁ ନବସାରୀ ଧୋଆଲି ବନ୍ଦର ନିକଟକୁ ଅଣାଯାଇଥିଲା । କୂଳରେ ପହଞ୍ଚିବା ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ଲଖନ ଡଙ୍ଗାରେ କୂଳରେ ପହଞ୍ଚିବା ପୂର୍ବରୁ ସେଠାରେ ଆମ୍ବୁଲାନ୍ସ ପହଞ୍ଚି ଯାଇଥିଲା । ପୋଲିସର ସୂଚନା ଅନୁଯାୟୀ ନିଖୋଜର ୩୬ ଘଣ୍ଟା ପରେ ଲଖନକୁ ତାର ପରିବାର ଫେରି ପାଇଥିଲେ । ଏବେ ଲଖନକୁ ନବସାରୀ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଉଛି । ଡାକ୍ତର କହିଛନ୍ତି ସେ ସଂପୂର୍ଣ୍ଣ ସୁସ୍ଥ ଅଛି ।

 

Get real time updates directly on you device, subscribe now.