fbpx

ଭାରତରେ ପଶିବାରେ ଲାଗିଛି ଚୀନ୍ ଭୂତାଣୁ: ଗୁଜୁରାଟ ଫେରିଥିବା ବ୍ୟକ୍ତି ହେଲେ ପଜିଟିଭ୍

ନୂଆଦିଲ୍ଲୀ: ଚୀନରେ କରୋନା ତାଣ୍ଡବ ରଚୁଥିବା ବେଳେ ଭାରତରେ ବଢ଼ିଯାଇଛି ଚିନ୍ତା । ଚୀନରୁ ଗୁଜୁରାଟର ଭାବନଗର ଫେରିଥିବା ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ନମୁନା ଏବେ ଜିନୋମ ସିକ୍ୱେନ୍ସିଂ ପାଇଁ ଗାନ୍ଧୀନଗର ଲ୍ୟାବକୁ ପଠାଯାଇଛି । ମିଳିଥିବା ସୂଚନା ମୁତାବକ, ୩୪ ବର୍ଷୀୟ ବ୍ୟବସାୟୀ କୌଣସି କାମକୁ ନେଇ ଚୀନ୍ ଯାଇଥିଲେ । ଡିସେମ୍ବର ୧୯ ରେ ଭାରତ ଫେରିବା ପରେ ଯାଞ୍ଚରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

ଭାରତରେ ଏପର୍ଯ୍ୟନ୍ତ ବିଏଫ୍.୭ ଭାରିଆଣ୍ଟର ୪ ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରୁ ତିନୋଟି ମାମଲା ଗୁଜୁରାଟରୁ ଚିହ୍ନଟ ହୋଇଛି । ତେବେ ଭାରତରେ ମିଳୁଥିବା କୌଣସି ରୋଗୀଙ୍କଠାରେ ଗୁରୁତର ଲକ୍ଷଣ ଦେଖାଯାଇ ନାହିଁ । ବିଏଫ୍.୭ ଭାରିଆଣ୍ଟ ପାଇଁ ଚୀନର ଅବସ୍ଥା ଏପରି ଖରାପ ହୋଇଥିବା କୁହାଯାଉଛି । ଚୀନରେ ଏହି ଭାରିଆଣ୍ଟ ତାଣ୍ଡବ ରଚିବାରେ ଲାଗିଛି । ଏହା ଅଧିକ ତୀବ୍ରତାର ସହ ବ୍ୟାପୁଛି ଓ ଅଧିକ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ହେଉଥିବା ସୂଚନା ମିଳିଛି ।

ତେବେ କରୋନାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଗୁରୁବାର କହିଛନ୍ତି ଯେ, କରୋନା ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ, ତେଣୁ ଟିକା ନେବା ସହ ସବୁବେଳେ ସତର୍କ ରହିବା ଉଚିତ । ସେ କହିଛନ୍ତି ଯେ, ଆଗାମୀ ପର୍ବ ଏବଂ ନୂଆ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ସଜାଗ ରହିବା, ମାସ୍କ ପିନ୍ଧିବା, ହାତ ଧୋଇବା, ପରିଷ୍କାର ପରିଚ୍ଛନ୍ନତା ଏବଂ ସାମାଜିକ ଦୂରତା ବଜାୟ ରଖିବା ଭଳି ପ୍ରୋଟୋକଲ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.