fbpx

ପାଙ୍ଗଙ୍ଗ ହ୍ରଦରୁ ମାତ୍ର କେଇ ପାଦ ଦୂରରେ ଡେରା ପକାଇଛି ଚୀନ ସେନା, ଉପଗ୍ରହ ଚିତ୍ରରୁ ବଡ ଖୁଲାସା

Advertisement

ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଉତ୍ତେଜନା ଥମିବାର ନାଁ ନେଉନାହିଁ। ଗୋଟିଏ କଥା କହି ଆଉ ଗୋଟିଏ କାମ କରୁଛି ଡ୍ରାଗନ। ପୂର୍ବ ଲଦାଖରେ ଭାରତୀୟ ସୀମା ନିକଟରେ କ୍ରମାଗତ ମିସାଇଲ ଓ ଘାତକ ମାରଣାସ୍ତ୍ର ମୁତୟନ କରୁଥିବା ଚୀନ ପାଙ୍ଗଙ୍ଗ ହ୍ରଦ ସଂଲଗ୍ନ ଅଞ୍ଚଳରେ ନିଜର ସେନାକୁ ଠୁଳ କରୁଛି। ପ୍ରାୟ ଛଅ ମାସ ପୂର୍ବେ ଭାରତ ଓ ଚୀନ ମଧ୍ୟରେ ପାଙ୍ଗଙ୍ଗ ହ୍ରଦ ନିକଟରେ ପାଟ୍ରୋଲିଂ ନକରିବା ଏବଂ ନିଜର ସେନା ମୁତୟନ ନକରିବାକୁ ସହମତି ହୋଇଥିଲା। ଏହା ପରେ ମଧ୍ୟ ଚୀନ ନିଜର ସେନାକୁ ପାଙ୍ଗଙ୍ଗ ହ୍ରଦର ଫିଙ୍ଗର ୪ରୁ ହଟାଇ ଫିଙ୍ଗର ୮ର ଠିକ୍ ପଛରେ ମୁତୟନ କରିଛି। ସଦ୍ୟତମ ଉପଗ୍ରହ ଚିତ୍ରରୁ ଜଣା ପଡିଛି ଯେ, ବିବାଦୀୟ ସ୍ଥଳଠୁ ଠିକ୍ ନିକଟରେ ଚୀନ ସୈନିକ ଜମି ରହିଛନ୍ତି।

ଓପନ ଇଣ୍ଟେଲିଜେନ୍ସ ସୋର୍ସ ଡେଟ୍ରେସଫାର ରିପୋର୍ଟ ଅନୁଯାୟୀ, ପାଙ୍ଗଙ୍ଗ ହ୍ରଦ ସନ୍ନିକଟ ଉପସ୍ଥିତ ଚୀନ ସେନା ନିଜ ଆଡ୍ଡାରେ ବଡ ସଂଖ୍ୟାରେ ଯବାନକୁ ମୁତୟନ କରିଛି। ଯେଉଁ ଅଞ୍ଚଳରେ ପାଟ୍ରୋଲିଂ ନକରିବାକୁ ସହମତି ପ୍ରକାଶ ପାଇଛି ଏହାର ଅନତି ଦୂରରେ ଚୀନ ସେନାଙ୍କ ଅବସ୍ଥିତି ଏବଂ ଗତିବିଧି ଦେଖିବାକୁ ମିଳିଛି।  ଉପଗ୍ରହ ଚିତ୍ରରୁ ଏହା ମଧ୍ୟ ଜଣା ପଡୁଛି ଯେ, ପୂର୍ବ ଲଦାଖରେ ଚୀନ ଓ ଭାରତ ମଧ୍ୟରେ ଏବେ ବି ସୀମା ବିବାଦ ସତେଜ ରହିଛି। ଚୀନ ନିଜର ଏହି ଆଡ୍ଡାରେ ରକ୍ଷାତ୍ମକ ଖାଇ, ଇନ୍ଧନ ଟ୍ୟାଙ୍କ, ସୈନିକଙ୍କ ରହିବା ପାଇଁ ଆନୁସଙ୍ଗିକ ସୁବିଧା କରିଛି।

ଭାରତ ଓ ଚୀନ ମୁତୟନ କରିଛନ୍ତି ୫୦-୫୦ ହଜାର ସୈନିକ

ଏହା ମଧ୍ୟରେ ଚୀନ ଲଦାଖରେ ଜାରି ବିବାଦର ସମାଧାନ ପାଇଁ ଦୋମୁହାଁ ନୀତି ଆପଣଉଥିବା ବେଳେ ଅନ୍ୟପଟେ ପିଏଲଏ ସୀମାରେ ସୈନିକ ଠୁଳ କରିବାରେ ଲାଗିଛି। ଏହି କାରଣରୁ ଭାରତ ମଧ୍ୟ ଯେଶାକୁ ତେଷା ନୀତିରେ ୫୦ ହଜାର ଯବାନ ମୁତୟନ କରିଛି। ଭାରତ-ଚୀନ ସୀମାରେ ସୈନିକଙ୍କ ଏହି ମୁତୟନ ଦଶନ୍ଧିର ସବୁଠୁ ବଡ ସୈନ୍ୟ ଉତ୍ତେଜନା କୁହାଯାଉଛି। ଗତ ବର୍ଷ ଜୁନରେ ଗଲଓ୍ଵାନ ହିଂସା ପରେ ଦୁଇ ଦେଶର ସେନା ପୂରା ପ୍ରସ୍ତୁତିର ସହ ସୀମାରେ ଦୃଢ ଭାବେ ପରସ୍ପରକୁ ଆଖି ମିଶାଇ ଛିଡା ହୋଇଛନ୍ତି।

 


ଗତ ବର୍ଷଠୁ ୧୫ ହଜାର ସୈନିକ ଅଧିକ

ଓ୍ଵାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ଚୀନ ଗଲଓ୍ଵାଲ ହିଂସା ସମୟରେ ମୁତୟନ କରିଥିବା ସୈନିକଙ୍କ ସଂଖ୍ୟାଠୁ ଅଧିକ ୧୫ ହଜାର ସେନା ବଢାଇ ଦେଇଛି। ଭାରତୀୟ ଗୁଇନ୍ଦା ଏଜେନ୍ସି ଓ ସୈନ୍ୟ ଅଧିକାରୀଙ୍କ ଅନୁସାରେ, ଚୀନର ପିପୁଲ୍ସ ଲିବେରେସନ ଆର୍ମି ଗତ କିଛି ମାସରେ ଧିରେ ଧିରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରି ୫୦ ହଜାରରୁ ଅଧିକ କରି ସାରିଲାଣି।

ଦୁଇ ଦେଶ ସୀମାରେ ନିର୍ମାଣ କରୁଛନ୍ତି ଭିତ୍ତିଭୂମି

ଦୁଇ ଦେଶ ଉତ୍ତେଜନା ମଧ୍ୟରେ ସୀମାବର୍ତ୍ତୀ ଅଞ୍ଚଳରେ ବହୁ ମାତ୍ରାରେ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କରିବାରେ ଲାଗିଛନ୍ତି। ଏଥିରେ ପ୍ରବଳ ଥଣ୍ଡା ସମୟରେ ସୈନିକଙ୍କ ରହିବା ପାଇଁ ଇନସୁଲେଟେଡ୍ କେବିନ ଓ ଟେଣ୍ଟ ସାମିଲ। ଭାରତ ଓ ଚୀନ ମଧ୍ୟରେ ଅଧିକାଂଶ ନିର୍ମାଣ ପୂର୍ବ ଲଦାଖରେ ହୋଇଛି। ଏଠାରେ ଗୋଗରା-ହଟସ୍ପ୍ରିଙ୍ଗ, ଡେପସାଙ୍ଗ ଓ ଡୋକଲାମରେ ଭାରତ ଓ ଚୀନର ସେନା ଏବେ ମଧ୍ୟ ମୁହାଁମୁହିଁ ସ୍ଥିତିରେ ଅଛନ୍ତି।

Get real time updates directly on you device, subscribe now.