fbpx

ଚୀନ ବୈଜ୍ଞାନିକ ବାଦୁଡିଙ୍କଠୁ ଠାବ କଲେ ୨୪ ନୂତନ ପ୍ରକାରର କରୋନା ଭାଇରସ୍, କୋଭିଡ୍-୧୯ ପରି ରହିଛି ମାରାତ୍ମକ

ଓ୍ଵାଶିଂଟନ : କରୋନା ଭାଇରସ୍ର ପ୍ରକୋପ ସଂପୂର୍ଣ୍ଣ ଭାବେ କେବେ ଥମିବ କହି ହେଉ ନାହିଁ। ପ୍ରଥମ ପରେ ଦ୍ଵିତୀୟ ଲହର ଏବଂ ଏହା ପରେ ତୃତୀୟ ଲହର ଆସିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏହା ମଧ୍ୟରେ କରୋନା ଭାଇରସ୍ କେମିତି ବ୍ୟାପିଲା, ଏହାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଛି। ଏହାର ଉତ୍ପତ୍ତି ସ୍ଥଳ କେଉଁଠି ଏହାକୁ ନେଇ ପ୍ରମୁଖ ଦେଶର ବୈଜ୍ଞାନିକଙ୍କ ଦ୍ଵାରା ଗବେଷଣା ଜାରି ରହିଛି। ଏହି କ୍ରମରେ ଚୀନ ବୈଜ୍ଞାନିକ ବାଦୁଡିଙ୍କଠାରେ ନୂତନ ପ୍ରକାରର କରୋନା ଭାଇରସ୍ର ନମୂନା ମିଳିଥିବା ସୂଚନା ଦେଇଛନ୍ତି। ଚୀନ ଗବେଷକ ନିଜର ଅଧ୍ୟୟନରେ କହିଛନ୍ତି, ବାଦୁଡିଠୁ ମିଳିଥିବା ନୂତନ ଭାଇରସ୍ରେ ଏମିତି ଏକ ଭାଇରସ୍ ରହିଛି, ଯାହା ଆନୁବଂଶିକ ଭାବେ କୋଭିଡ୍-୧୯ ସହ ସାମଞ୍ଜ୍ୟସ ରହିଛି।
ଗବେଷକଙ୍କ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଚୀନରେ ଠାବ ହୋଇଥିବା ବାଦୁଡିଙ୍କଠାରେ କେତେ ପ୍ରକାରର କରୋନା ଭାଇରସ୍ ରହିଥାଏ ଏବଂ ଏହା କେତେ ଜଣଙ୍କଠାରେ ବ୍ୟାପିବାର କ୍ଷମତା ରଖିଥାଏ ଅଧ୍ୟୟନରୁ ଏହା ଜଣା ପଡିଛି। ଜର୍ଣ୍ଣାଲ ସେଲ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେଡୋଙ୍ଗ ବିଶ୍ଵ ବିଦ୍ୟାଳୟର ଚୀନ ଗବେଷକ କହିଛନ୍ତି, ଆମ ଟିମ୍ ଅନେକ ପ୍ରଜାତିର ବାଦୁଡିଙ୍କଠାରେ ୨୪ ନୂତନ କରୋନା ଭାଇରସ୍ର ଜିନୋମ ଏକତ୍ର କରିଛନ୍ତି। ଏଥିରେ ଚାରୋଟି SARS-CoV-2 ପରି କରୋନା ଭାଇରସ୍ ମଧ୍ୟ ସାମିଲ।

ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଗବେଷକ ଏହି ନମୂନା ୨୦୧୯ ମେ ଏବଂ ୨୦୨୦ ନଭେମ୍ବର ମଧ୍ୟରେ ଜଙ୍ଗଲରେ ଥିବା ଏକ ଛୋଟ ବାଦୁଡି ପ୍ରଜାତିଙ୍କଠୁ ଏକତ୍ର କରିଥିଲେ। ସେ ବାଦୁଡିଙ୍କ ମୁହଁରୁ ନମୂନା ନେବା ସହ ସେମାନଙ୍କର ମଳମୂତ୍ରର ମଧ୍ୟ ଯାଞ୍ଚ କରିଥିଲେ।
ଏଥିରୁ ଗୋଟିଏ ଭାଇରସ୍ ଆନୁବଂଶିକ ଭାବେ SARS-CoV-2 ଭାଇରସ୍ ସହ ସମାନ ଥିଲା, ଯାହା ବର୍ତ୍ତମାନ ସମଗ୍ର ଦୁନିଆରେ ଜାରି ମହାମାରୀର କାରଣ ପାଲଟିଛି। ଗବେଷକଙ୍କ ମତରେ ଏବେ ଠାବ ହୋଇଥିବା ନୂତନ ଭାଇରସ୍ SARS-CoV-2 ସହ ସାମଞ୍ଜ୍ୟସ ରହିଥାଇପାରେ। ଏହି ନୂତନ ଗବେଷଣା ପରେ କରୋନା ଭାଇରସ୍ର ଅନ୍ୟ ରୂପକୁ ନେଇ ବୈଜ୍ଞାନିକମାନେ ନିଜର ଗବେଷଣାକୁ ଜୋରଦାର କରିଛନ୍ତି।

Get real time updates directly on you device, subscribe now.