fbpx

ଚିଟଫଣ୍ଡ ଜମାକାରୀଙ୍କୁ ମିଳିଲା ଆଶ୍ୱସ୍ତି: ଅର୍ଥ ଫେରସ୍ତ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ଚିଟଫଣ୍ଡରେ ଜମା କରିଥିବା ଜମାକାରୀଙ୍କୁ ମିଳିଛି ଆଶ୍ୱସ୍ତି । ଅର୍ଥ ଫେରସ୍ତ ନେଇ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ସଂସ୍ଥାର ସମ୍ପତ୍ତି ବ୍ୟାଜ୍ୟାପ୍ତି ପରେ ନିଲାମ ଅର୍ଥ ସରକାରଙ୍କ ପ୍ରାଧିକୃତ ଅଧିକାରୀଙ୍କ ନିକଟକୁ ଆସିଛି । ତେବେ ବିଭିନ୍ନ ପ୍ରକ୍ରିୟାରେ ଜମାକାରୀଙ୍କୁ ଚିହ୍ନଟ କରାଯାଇ ଅର୍ଥ ଫେରସ୍ତ କରାଯାଉଛି । ଏହା ମଧ୍ୟରେ କଟକ ଓପିଆଇଡି କୋର୍ଟଙ୍କ ନିର୍ଦ୍ଦେଶମତେ କଟକ ଏଡିଏମଙ୍କ ପାଖରେ ଜମା ଥିବା ବିପୁଳ ଅର୍ଥରାଶିକୁ ଜମାକାରୀଙ୍କୁ ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବର୍ତ୍ତମାନ ହାଇଟେକ ଗ୍ରୁପ୍ ଅଫ୍ କମ୍ପାନୀଜ୍ ଓ ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ୍ କମ୍ପାନୀର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯିବ । ଏଥିପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ବଣ୍ଡ ଓ କ୍ୟାନସେଲ ମନି-ରସିଦ ଅପଲୋଡ୍ ସମାପ୍ତ ହୋଇଛି । ଏହାପରେ ଜମାକାରୀଙ୍କୁ ସେମାନଙ୍କର ଜମା ଅର୍ଥ ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ୧୩୩ କୋଟିରୁ ଅଧିକ ଅର୍ଥ ଜମାକାରୀଙ୍କୁ ଫେରସ୍ତ କରାଯିବ । ଏନେଇ ସୂଚନା ଦେଇଛନ୍ତି କଟକ ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରାଧିକୃତ ଅଧିକାରୀ ।

ଏହା ମଧ୍ୟରେ ୮୭ କୋଟିରୁ ଅଧିକ ଟଙ୍କା ରୋଜଭ୍ୟାଲି ଗ୍ରୁପ୍ ଅଫ୍ ଚିଟଫଣ୍ଡ କମ୍ପାନୀର ଜମାକାରୀଙ୍କୁ ଫେରସ୍ତ କରାଯାଇଛି । ଏହି କମ୍ପାନୀର ୨ ଲକ୍ଷରୁ ଅଧିକ ଜମାକାରୀ ଉପକୃତ ହୋଇଛନ୍ତି । ହାଇଟେକ ଗ୍ରୁପ ଅଫ୍ କମ୍ପାନୀର ମୋଟ ୫୫୭୫ ଜଣଙ୍କୁ ସେମାନଙ୍କର ପ୍ରାପ୍ୟ ଫେରସ୍ତ ନେଇ ଅନଲାଇନରେ ଆବେଦନ କରାଯାଇଛି । ଜିଏଲପି ଡେଭଲପର୍ସ ଲିମିଟେଡ ଓ ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡର ୨ ଲକ୍ଷରୁ ଅଧିକ ଜମାକାରୀ ସେମାନଙ୍କର ଅର୍ଥ ଫେରସ୍ତ ପାଇବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.