fbpx

ସଂସଦର ସୁରକ୍ଷା ଭେଦ ଘଟଣା ପରେ ବଡ ପରିବର୍ତ୍ତନ, ସଂସଦ ସମ୍ଭାଳିବେ CISF

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭେଦ ଘଟଣା ପରେ ସରକାର ଏବେ ପୁରା ପରିସରର ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ ବା CISF ହାତରେ ସମର୍ପିବାକୁ ନିଷ୍ପତ୍ତି ନେଇଛନ୍ତି । ସୂତ୍ର ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଭବନ ପରିସରର ସର୍ବେକ୍ଷଣ ନିର୍ଦ୍ଦେଶ ଦେଇଛନ୍ତି । ଏହା ଫଳରେ ବ୍ୟାପକ ଆଧାରରେ CISF ସୁରକ୍ଷା ଓ ଦମକଳ ଶାଖା ନିୟମିତ ନିୟୋଜିତ ରଖାଯାଇପାରିବ ।

କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟର ସୁରକ୍ଷା କରୁଥିବା CISF ର ସରକାରୀ ଭବନ ସୁରକ୍ଷା ସଂସ୍ଥା(ଜିବିଏସ୍‌)ର ବିଶେଷଜ୍ଞ, ବର୍ତ୍ତମାନ ସଂସଦ ସୁରକ୍ଷା ଟିମ୍‌ର ଅଧିକାରୀ ଓ ଅଗ୍ନିଶମ ତଥା ଉଦ୍ଧାର ବିଭାଗର ଅଧିକାରୀ ଏହି ସପ୍ତାହ ଶେଷରେ ସର୍ବେକ୍ଷଣ ଆରମ୍ଭ କରିବେ । ବିଶେଷ ସୂତ୍ରରୁ ଜଣାପଡିଛି ନୂଆ ଓ ପୁରୁଣା ସଂସଦ ପରିସର ଓ ଏହା ସଂଲଗ୍ନ ସମସ୍ତ କୋଠାକୁ ସିଆଇଏସଏଫ୍‌ର ବ୍ୟାପକ ସୁରକ୍ଷା ଘେରକୁ ଅଣାଯିବ । ଏଥିରେ ସଂସଦ ଡ୍ୟୁଟିରେ ଥିବା ସୁରକ୍ଷା ସେବା, ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ମଧ୍ୟ ସାମିଲ ରହିବେ ।

CISF ଏକ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଯାହା ଏବେ ପରମାଣୁ ଓ ବିମାନ ଚଳାଚଳ କ୍ଷେତ୍ର ଅନ୍ତର୍ଗତ ପ୍ରତିଷ୍ଠାନ, ବିମାନ ବନ୍ଦର, ଦିଲ୍ଲୀ ମେଟ୍ରୋ ସହିତ ରାଷ୍ଟ୍ରୀୟ ରାଜଧାନୀରେ ବହୁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଭବନର ସୁରକ୍ଷାରେ ଅଛନ୍ତି ।

Get real time updates directly on you device, subscribe now.