fbpx

ସରକାର ପାଞ୍ଚ ବର୍ଷରେ ବଦଳିବ, କିନ୍ତୁ ପୋଲିସ ବଦଳିବନି, ତେଣୁ ସେମାନେ ରାଜନେତାଙ୍କ ଆଗରେ ମୁଣ୍ଡ ନୁଆଁଇବେ କାହିଁକି: CJI

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (ସିଜେଆଇ) ଏନଭି ରମଣ ପୋଲିସ ଓ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ)ର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସିବିଆଇର ଶିଥିଳତା, ନିଷ୍କ୍ରିୟତା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ମନ୍ଥରତା ଏହି ଯାଞ୍ଚ ଏଜେନ୍ସିର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଦିନକୁ ଭ୍ରଷ୍ଟଚାର ବଢ଼ିବାରେ ଲାଗିଥିବା ବେଳେ ଦୋଷୀଙ୍କୁ ନେଇ ପୋଲିସର ଛବି ଖରାପ ହେବାରେ ଲାଗିଛି । ଅନେକ ସମୟରେ ପୋଲିସ ଅଧିକାରୀମାନେ ନୂଆ ସରକାରଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ନେଇ ସୁପ୍ରିମକୋର୍ଟରେ ୟାଚିକା ଦାୟର କରିଥାନ୍ତି । ମାତ୍ର ସେମାନେ ଏକଥା ଭୁଲି ଯାଉଛନ୍ତି ଯେ, ରାଜନୈତିକ ପ୍ରତିନିଧିମାନେ ସର୍ବଦା ପରିବର୍ତ୍ତନ ହୋଇଥାନ୍ତି, ମାତ୍ର ଏହି ଅଧିକାରୀମାନେ ସର୍ବଦା ସେବାରେ ରହିଥାନ୍ତି ବୋଲି ରମଣ କହିଛନ୍ତି ।

ରମଣ କହିଛନ୍ତି ଯେ, ଜଣେ ପୋଲିସ ଅଧିକାରୀ ଚାହିଁଲେ ସମାଜରେ କିଛି ପରିବର୍ତ୍ତନ ଆଣିପାରିବ । କୌଣସି ସଂସ୍ଥାର ଉନ୍ନତି ବା ଅବନତି ଏହି ଅଧିକାରୀଙ୍କ ଉପରେ ନିର୍ଭର କରିଥାଏ । ଗୋଟିଏ ମାମଲା ଦାୟର ହେବା ପରେ ତାହାକୁ କେଉଁ ସଂସ୍ଥା ଯାଞ୍ଚ କରିବ ସେନେଇ ପ୍ରଥମେ ସ୍ଥିର ହେବା ଆବଶ୍ୟକ । ଅନେକ ସମୟରେ ଗୋଟିଏ ଅପରାଧ ପାଇଁ ଅନେକ ସଂସ୍ଥା ସଂଶ୍ଲିଷ୍ଟ ରହୁଥିବା ଦେଖାଯାଇଥାଏ । ଯଦି ପୋଲିସ ଅଧିକାରୀମାନେ ମୁଣ୍ଡ ନୂଆଁଇବେ ନାହିଁ, ତେବେ ସେ କ୍ଷେତ୍ରରେ ସେମାନଙ୍କର ବୀରତା, ସାହସ ଓ କର୍ତ୍ତବ୍ୟନିଷ୍ଠା ପ୍ରତିପାଦିତ ହେବ । ପୋଲିସଗିରି ଏକ ଚାକିରି ନୁହେଁ, ବରଂ ଏକ କଲିଙ୍ଗ, ଯେ କି ସମାଜ ପ୍ରତି ଉତ୍ତରଦାୟୀ ରହିଥାଏ । ବ୍ରିଟିଶମାନେ ତାଙ୍କ ଅମଳରେ ଭାରତୀୟଙ୍କ ଅଧିକାରକୁ ନ୍ୟୁନ କରିବା ପାଇଁ ପୋଲିସ ପାଇଁ କାନୁନ ଲାଗୁ କରୁଥିଲେ । ବର୍ତ୍ତମାନ ସମୟରେ ରାଜନୈତିକ ଫାଇଦା ପାଇଁ ପୋଲିସର ଦୁରୁପଯୋଗ କରାଯାଉଥିବା କିଛି ନୂଆ କଥା ନୁହେଁ । ପୋଲିସ ହେଉଛି ନ୍ୟାୟ ପ୍ରଣାଳୀର ଏକ ଅଭିନ୍ନ ଅଙ୍ଗ, ନ୍ୟାୟିକ ଶାସନ ବ୍ୟବସ୍ଥା ବଜାୟ ରଖିବାରେ ତା’ର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

Get real time updates directly on you device, subscribe now.