fbpx

ବହୁମତରେ ସହମତ ନୁହେଁ, SC-ST-OBCକୁ ବାହାରେ ରଖିବା ଭେଦଭାବ; EWS ସଂରକ୍ଷଣକୁ ନେଇ କହିଲେ ପ୍ରଧାନ ବିଚାରପତି

Advertisement

ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟ ସୋମବାର ନିଜର ଐତିହାସିକ ରାୟରେ ଆର୍ଥିକ ପଛୁଆ ବର୍ଗ(ଇଡବ୍ଲ୍ୟୁଏସ)ଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପ୍ରାବଧାନକୁ ବୈଧ୍ୟ ବୋଲି କହିଛନ୍ତି। କେନ୍ଦ୍ର ସରକାର ଯେଉଁ ୧୦୩ତମ ସମ୍ବିଧାନ ସଂଶୋଧନ କରିଛନ୍ତି, ତାହାକୁ ଉଚ୍ଚତମ ନ୍ୟାୟାଳୟର ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରି ବିଭାଜିତ ରାୟ ଦେଇଛନ୍ତି। ଇଡବ୍ଲ୍ୟୁଏସ ସଂରକ୍ଷଣ ପରିଧିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗର ଗରିବ ଲୋକ ଅନ୍ତର୍ଭୁକ୍ତ ହେବେ ନାହିଁ। ତେବେ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ଯେ, ଏହା ଭେଦଭାବ ନୁହେଁ ଏବଂ ପ୍ରାବଧାନ କୌଣସି ନିୟମ ଉଲ୍ଲଂଘନ କରୁନାହିଁ।

ତିନି ଜଣ ବିଚାରପତି ଜଷ୍ଟିସ ଦିନେଶ ମାହେଶ୍ଵରୀ, ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ଜେବି ପାରଦିଓ୍ଵାଲା ସଂରକ୍ଷଣକୁ ବଳବତ୍ତର ରଖିଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଏବଂ ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟ ଭିନ୍ନ ମତ ଦେଇଛନ୍ତି। ଲଳିତ କହିଛନ୍ତି ସଂଶୋଧନ ପରିଧିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗଙ୍କୁ ବାହାରେ ରଖିବା ଭେଦଭାବକୁ ହିଁ ସୂଚାଉଛି।

ଜଷ୍ଟିସ ଭଟ୍ଟ କହିଛନ୍ତି, ଏହି ମାମଲାରେ ସେ ବହୁମତ ଦୃଷ୍ଟିକୋଣରୁ ସହମତ ନୁହନ୍ତି। ସ୍ଵାଧୀନତାର ସାତ ଦଶନ୍ଧି ପରେ ପ୍ରଥମ ଥର ଏହି ଅଦାଲତ ସ୍ପଷ୍ଟ ଭାବେ ଭେଦଭାବପୂର୍ଣ୍ଣକୁ ମଞ୍ଜୁରୀ ଦେଇଛି। ଆମର ସମ୍ବିଧାନ ବହିଷ୍କାରର ଭାଷା କହିନଥାଏ। ମୋର କହିବା କଥା ଏହି ସଂଶୋଧନ ସାମାଜିକ ନ୍ୟାୟର ଭିତ୍ତିଭୂମିକୁ ଦୁର୍ବଳ କରି ଦେବ। ଜଷ୍ଟିସ ଭଟ୍ଟ କେନ୍ଦ୍ର ସରକାରଙ୍କ ୧୦୩ତମ ସଂଶୋଧନ ଆଇନକୁ ଅସାମ୍ବିଧାନିକ ଏବଂ ଅମାନ୍ୟ ଦର୍ଶାଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ ବିଚାରପତି ଭଟ୍ଟଙ୍କ ବିଚାରରେ ସହମତି ପ୍ରକାଶ କରିଛନ୍ତି। ବିଚାରପତିମାନେ ଅଦାଲତ କକ୍ଷରେ ୩୫ ମିନିଟରୁ ଅଧିକ ସମୟ ଧରି ଚାରି ଅଲଗା ଅଲଗା ନିଷ୍ପତ୍ତି ପଢିଥିଲେ।

Get real time updates directly on you device, subscribe now.