ଲିଖିତ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡାଣ ହରଣ

୬୮.୫% ପିଲା ଫେଡ଼ାଣ ଓ ୪୫.୮% ପିଲା ହରଣ ଜାଣିନାହାନ୍ତି । ଲିଖିତ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଭୁବନେଶ୍ବର: ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡାଣ ଓ ହରଣ । ୬୮.୫ ପ୍ରତିଶତ ଫେଡ଼ାଣ ଓ ୪୫.୮ ପ୍ରତିଶତ ଛାତ୍ରଛାତ୍ରୀ ହରଣ ଜାଣିନାହାନ୍ତି । ଗୃହରେ ଲିଖିତ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ସଂଖ୍ୟା ପ୍ରତି ବର୍ଷ ବଢ଼ି ବଢ଼ି ଚାଲିଛି ବୋଲି ସେ କହିଛନ୍ତି ।

ମନ୍ତ୍ରୀଙ୍କ ଚିନ୍ତାଜନକ ତଥ୍ୟ- ୨୦୧୪ରେ ୬୩.୪ ପ୍ରତିଶତ ଏବଂ ୨୦୨୪ରେ ୬୯.୫ ପ୍ରତିଶତ ଫେଡାଣ ଜାଣି ନ ଥିଲେ । ସେହିପରି ୨୦୧୪ରେ ୩୭.୯% ଓ ୨୦୨୪ରେ ୪୫.୮% ହରଣ ଜାଣି ନ ଥିଲେ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁସାରେ, ବାଲିଗୁଡା ବିଧାୟକ ଚକ୍ରମଣି କହଁର ବିଦ୍ୟାଳୟରେ ଡ୍ରପ୍‌ ଆଉଟ୍‌ ସଂଖ୍ୟା ରୋକିବା ନେଇ ପ୍ରଶ୍ନ କରିଥିଲେ । ଏହାସହିତ ଅସର ରିପୋର୍ଟର ତଥ୍ୟ ଚିନ୍ତା ଜନକ ରହୁଛି ସେଥିପ୍ରତି ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଏଭଳି ତଥ୍ୟ ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୬୦୦୯ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସେହି ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ୧୭୯୮ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି ।

ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୦୨୫ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ୧୭ଟି ଜିଲ୍ଲାରେ ୨୧ଟି ଭାଷାରେ ଶିକ୍ଷାଦାନ କରାଯାଉଛି  । ଏହି ସବୁ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ୩୧୮୮ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି ।