fbpx

ପାଚିକା-ସହାୟିକାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ଶାଢ଼ି ପାଇଁ ଜଣକୁ ମିଳିଲା ୫୦୦ ଟଙ୍କାର ଭତ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଜ ପୂର୍ବରୁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଥିଲେ । ଏହାଫଳରେ ମହଙ୍ଗା ଭତ୍ତା ୩୮ରୁ ୪୨ ପ୍ରତିଶତରେ ପହଞ୍ଚି ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଫଳରେ ରାଜ୍ୟର ପାଖାପାଖି ସାଢ଼େ ସାତ ଲକ୍ଷ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ । ଏଥିସହିତ ଗତକାଲି ମୁଖ୍ୟମନ୍ତ୍ରୀ ମୋଟରଯାନ ଡ୍ରାଇଭର ଓ କଲ୍ୟାଣ ଯୋଜନାକୁ ଅନୁମୋଦନ କରିଥିଲେ । ଏହାଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଲେ ୪ ଲକ୍ଷ ଓ ଅତି ଗୁରୁତର କ୍ଷେତ୍ରରେ ସେମାନଙ୍କର ସମ୍ପର୍କୀୟଙ୍କୁ ୮୦ ହଜାର ଟଙ୍କା ପ୍ରଦାନ କରାଯିବ ।

ତେବେ ଏହା ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା-ସହାୟିକାଙ୍କୁ ୧୧୭.୭୩ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିସହିତ ପ୍ରତ୍ୟେକଙ୍କୁ ୫୦୦ ଟଙ୍କା ଲେଖାଏଁ ଭତ୍ତା ବାବଦକୁ ୫.୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟର ମୋଟ ୧ ଲକ୍ଷ ୯ ହଜାର ପାଚିକା ଓ ସହାୟିକା ଉପକୃତ ହୋଇପାରିଛନ୍ତି । ସ୍କୁଲ ପିଲାଙ୍କ ଖାଇବା ଦାୟିତ୍ୱ ନେଉଥିବାରୁ ସାରା ସମାଜ ପାଚିକା ଓ ସହାୟିକାଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟର ଏକ ଲକ୍ଷ ୯ ହଜାର ପାଚିକା, ସହାୟିକାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫.୪୫ କୋଟି ଟଙ୍କା ପଠାଯାଇଛି । ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆର୍ଥିକ ସହାୟତା ସହିତ ଶାଢ଼ି ଭତ୍ତା ପ୍ରଦାନ କରିଛନ୍ତି । ଛୋଟ ପିଲାଙ୍କ ଶିକ୍ଷାର ପ୍ରସାର ସହିତ ପୃଷ୍ଟି ନିରାପତ୍ତା ପାଇଁ ମଧ୍ୟାହ୍ନଭୋଜନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାଚିକା ଓ ସହାୟିକାମାନେ ଏହି ଗୁରୁ ଦାୟିତ୍ୱ ବହନ କରୁଛନ୍ତି । ରାଜ୍ୟର ୫୦ ହଜାରରୁ ଅଧିକ ସ୍କୁଲରେ ୪୫ ଲକ୍ଷରୁ ଅଧିକ ପିଲା ପାଠ ପଢ଼ୁଥିବା ବେଳେ ପାଚିକା-ସହାୟିକାମାନେ ମା’ ପରି ସବୁ ପିଲାଙ୍କର ଯନ୍ନ ନେଉଛନ୍ତି । ତେଣୁ ସେମାନଙ୍କ ନିକଟରେ ଏ ସମାଜ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟରେ ମିଶନ ଶକ୍ତିର ସୁନାମ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏହା ମାଧ୍ୟମରେ ମା’ମାନଙ୍କର ସଶକ୍ତିକରଣ ପାଇଁ ଉଦ୍ୟମ ଜାରି ରହିବ । ପାଚିକା ଓ ସହାୟିକାଙ୍କୁ ଖାଦ୍ୟ ଓ ସ୍ୱଚ୍ଛତା ନେଇ ତାଲିମ୍ ଦିଆଯାଇଛି । ସେମାନେ ମଧ୍ୟାହ୍ନଭୋଜନରେ ଖାଦ୍ୟ ସୁରକ୍ଷା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

Get real time updates directly on you device, subscribe now.