ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୩୦୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ବହୁ ଯାତ୍ରୀଙ୍କର ମୃତଦେହକୁ ସଂରକ୍ଷିତ ରଖାଯାଇଥିବା ବେଳେ ସେମାନଙ୍କର ଚିହ୍ନଟ ହେବା ସମ୍ଭବ ହୋଇନାହିଁ । ତେଣୁ ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏକ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି । ଏହି ନମ୍ବରରେ କଲ କରି ସମ୍ପର୍କୀୟମାନେ ମୃତକଙ୍କ ବିଷୟରେ ସବିଶେଷ ତଥ୍ୟ ପାଇ ପାରିବେ ।
ତେବେ ଏହି ଦୁର୍ଘଘଣାକୁ ନେଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣା ଘଟିବା ଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ସ୍ପେଶାଲ କଣ୍ଟ୍ରୋଲ ରୁମକୁ ପରିଦର୍ଶନ କରିବା ସହିତ ବହୁ ଅଧିକାରୀଙ୍କୁ ମୃତାହତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଥିଲେ । ସକାଳ ହେବା ପରେ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାସ୍ଥଳ ଗସ୍ତ କରିବା ସହିତ ଘଟଣାକୁ ଅନୁଧ୍ୟାନ କରିଥିଲେ । ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟରେ ଯେଉଁ ସାହସିକତା ଦେଖାଇଥିଲେ ତାହାକୁ ମୁଖ୍ୟମନ୍ତ୍ରୀ ଭୂୟଶୀ ପ୍ରଶଂସାକରିଥିଲେ ।
ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ବାହାନଗା ଟ୍ରେନ ଦୁର୍ଘଟଣାର ମୃତକ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ସେହିପରି ଆହତଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା ରାଶି । ଏଥି ସହିତ ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ଜ୍ଞାପନ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ କେନ୍ଦ୍ର ସରକାର, ରେଳ ମନ୍ତ୍ରଣାଳୟ, ପଶ୍ଚିମବଙ୍ଗ ସରକାର, ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ମୃତକ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ ।