ଦିଲ୍ଲୀ ସର୍ଭିସ ବିଲ ସଂସଦର ଦୁଇ ଗୃହରେ ପାସ୍ ହେବା ପରେ ଏଣିକି ମୁଖ୍ୟମନ୍ତ୍ରୀ ନା ଉପରାଜ୍ୟପାଳ, କାହା ପାଖରେ ଅଧିକ କ୍ଷମତା ରହିବ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର (ସଂଶୋଧନ) ବିଧେୟକ ୨୦୨୩ ଗତ ୭ ତାରିଖ ଦିନ ରାଜ୍ୟସଭାରେ ପାସ ହୋଇଯାଇଛି । ଏହି ବିଧେୟକ ସଂସଦର ଦୁଇ ଗୃହରେ ପାସ ହେବା ପରେ ଏବେ ଦିଲ୍ଲୀ ସରକାରଙ୍କ ମୁସ୍କିଲ ବଢ଼ିଯାଇଛି । ଏହି ବିଧେୟକରେ ଏପରି କିଛି ମାମଲା ରହିଛି, ଯାହାକି ଦିଲ୍ଲୀ ସରକାରଙ୍କୁ ନିୟମରେ ବାନ୍ଧି ରଖିବାକୁ ବାଧ୍ୟ କରିବ । ଏବେ ଦିଲ୍ଲୀ ସରକାରଙ୍କ ସମସ୍ତ ଅଧିକାର ଅଧିକାରୀଙ୍କ ମାଧ୍ୟମରେ ଉପରାଜ୍ୟପାଳଙ୍କ ନିକଟକୁ ଚାଲିଯାଇଛି ।
ଏଣିକି ଦିଲ୍ଲୀରେ ଯେଉଁ ଅଧିକାରୀ କାର୍ଯ୍ୟ କରିବେ, ଦିଲ୍ଲୀର ନିର୍ବାଚିତ ସରକାରଙ୍କର ତା’ ଉପରେ ନିୟନ୍ତ୍ରଣ ରହିବ ନାହିଁ । ଏହି ସବୁ କ୍ଷମତା ଏବେ ଉପରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ନିକଟକୁ ଚାଲିଯାଇଛି । କ୍ୟାବିନେଟର ନିଷ୍ପତ୍ତି ବେଆଇନ ବୋଲି ଯଦି ମୁଖ ସଚିବଙ୍କୁ ହୃଦବୋଧ ହୁଏ ତେବେ ସେ ଏନେଇ ରାଜ୍ୟପାଳଙ୍କ ନିକଟକୁ ପ୍ରସ୍ତାବ ପଠାଇ ପାରିବେ । କ୍ୟାବିନେଟର ଯେ କୌଣସି ନିଷ୍ପତ୍ତିକୁ ପରିବର୍ତ୍ତନ କରିଦେବାର ଶକ୍ତି ଉପରାଜ୍ୟପାଳଙ୍କୁ ମିଳିଛି ।
ଦିଲ୍ଲୀ ସରକାରଙ୍କର ନିଯୁକ୍ତି ଓ ବଦଳି ରାଷ୍ଟ୍ରୀୟ ରାଜଧାନୀ ସିବିଲ ସେବା ପ୍ରାଧିକରଣ (ଏନସିସିଏସଏ) କରିବ । ଏହାର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ମଖ୍ୟ ସଚିବ ଓ ଗୃହ ସଚିବ ଏଥିରେ ସଦସ୍ୟ ଅଛନ୍ତି । ତେବେ ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ କିଛି ବି କରିପାରିବେ ନାହିଁ । ଦିଲ୍ଲୀ ବିଧାନସଭା ଦ୍ୱାରା ପ୍ରଣୀତ ଆଇନ ଦ୍ୱାରା ତିଆରି ହୋଇଥିବା କୌଣସି ବୋର୍ଡ ବା ଆୟୋଗର ନିଯୁକ୍ତି ମାମଲାରେ ଏନସିସିଏସଏର ଏକ ପ୍ୟାନେଲ ଉପରାଜ୍ୟପାଳଙ୍କୁ ସୁପାରିଶ କରିବ । ଉକ୍ତ ସୁପାରିଶ ଆଧାରରେ ଉପରାଜ୍ୟପାଳ ନିଯୁକ୍ତି ଦେବେ । କ୍ୟାବିନେଟର ନିଷ୍ପତ୍ତି ଠିକ କି ଭୁଲ ତାହା ମୁଖ୍ୟ ସଚିବ ସ୍ଥିର କରିବେ । ମନ୍ତ୍ରୀଙ୍କ ଆଦେଶ ଆଇନ ଭାବେ ତ୍ରୁଟିଯୁକ୍ତ ବୋଲି ଯଦି ସଚିବଙ୍କୁ ହୃଦବୋଧ ହୁଏ ତେବେ ସେ ତାହାକୁ ଅଗ୍ରାହ୍ୟ କରିଦେଇ ପାରନ୍ତି । ଏନସିସିଏସଙ୍କ ସୁପାରିଶ ଆଧାରରେ ଉପରାଜ୍ୟପାଳ ନିଷ୍ପତ୍ତି ନେବେ । ମାତ୍ର ଗ୍ରୁପ-ଏ ଅଧିକାରୀଙ୍କ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ମାଗି ପାରିବେ । ଯଦି ଏନସିସିଏସଏ ଓ ଉପରାଜ୍ୟପାଳଙ୍କ ରାୟ ଭିନ୍ନ ଭିନ୍ନ ହୁଏ ତେବେ ଉପରାଜ୍ୟପାଳଙ୍କ ନିଷ୍ପତ୍ତି ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ।