ନିର୍ବାଚନ ରେଜଲ୍ଟ ଘୋଷଣା ପରେ ଜନତାଙ୍କୁ ବଡ଼ ଝଟକା: CNG ଦାମ୍ ୨ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ନଭେମ୍ବର ୨୩ ତାରିଖରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ତେବେ ରେଜଲ୍ଟ ଘୋଷଣା ହେବାର ଦୁଇ ଦିନ ନ ପୂରୁଣୁ ଜନତାଙ୍କୁ ଲାଗିଛି ଏକ ବଡ଼ ଝଟକା । ବୃଦ୍ଧି ପାଇଛି ସିଏନଜି ଦାମ୍ । ମୁମ୍ବାଇ ସମେତ ଦେଶର ଅନ୍ୟ କିଛି ସହରରେ ସିଏନଜି ଦର କେଜି ପ୍ରତି ୨ ଟଙ୍କା ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ ସିଏନଜି ଦର ପୂର୍ବାପେକ୍ଷା ସ୍ଥିର ରହିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ବୃହତ୍ ବିଜୟ ପରେ ରାଜ୍ୟରେ ସିଏନଜି ଦାମରେ ବୃଦ୍ଧି ଦେଖିବାକୁ ମିଳିଛି ।

ମୁମ୍ବାଇ ବ୍ୟତୀତ ଦିଲ୍ଲୀ ଓ ଏନସିଆରରେ ସିଏନଜି-ପିଏନଜି ସପ୍ଲାଇ କରୁଥିବା କମ୍ପାନୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ ପକ୍ଷରୁ ସିଏନଜି ଦରରେ କେଜି ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ଏଥିସହିତ ନୋଏଡା, ଗ୍ରେଡର ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଅନ୍ୟ ସହରମାନଙ୍କରେ ମଧ୍ୟ ଏହି ଦର ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ ଯେ, ଏମଜିଏଳ ଓ ଅଦାନୀ ଟୋଟଲ ଗ୍ୟାସ ଲିମିଟେଡ ପରି ଅନ୍ୟ ସିଟି ଗ୍ୟାସ ରିଟେଲର୍ସ କଞ୍ଚାମାଲର ମୂଲ୍ୟରେ ୨୦ ପ୍ରତିଶତ ବୃଦ୍ଧି ପରେ ବି ନିର୍ବାଚନୀ ମାସଗୁଡ଼ିକରେ ରିଟେଲ ପ୍ରାଇସ ସ୍ଥିର ରଖିଥିଲେ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମାପ୍ତ ହେଉ ହେଉ ଏମଜିଏଲ ସିଏନଜି ଦର ବୃଦ୍ଧି କରି କେଜି ପିଛା ୭୭ ଟଙ୍କା କରିଦେଇଛି ଓ ତାହା ନଭେମ୍ବର ୨୩ରୁ ଲାଗୁ ହୋଇଛି ।