IPL-2025 କୁ ଫେରିବେ ‘କୋଚ୍ ଦ୍ରାବିଡ’! ଦିଲ୍ଲୀ କ୍ୟାପିଟାଲ୍ସର ନୂଆ କୋଚ୍ ଭାବରେ ମିଳିପାରେ ଦାୟିତ୍ୱ

ଓଡ଼ିଶା ଭାସ୍କର: ଆଇପିଏଲ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ଦଳର କୋଚ୍ ରିକି ପଣ୍ଟିଂଙ୍କୁ କୋଚ୍ ପଦବୀରୁ ହଟାଇଛି । ତେଣୁ ଆଗାମୀ ସିଜନ ପାଇଁ ଦଳକୁ ଜଣେ ନୂଆ କୋଚ୍ ସନ୍ଧାନରେ ରହିଛି ଦିଲ୍ଲୀ । ଏହାଭିତରେ ଭାରତର ଟି-୨୦ ବିଶ୍ୱବିଜୟୀ କୋଚ୍ ରାହୁଲ ଦ୍ରାବିଡ ଦଳର କୋଚ୍ ଭାବରେ ନିୟୋଜିତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେବାରେ ଲାଗିଛି । ରିକି ପଣ୍ଟିଂଙ୍କ ସ୍ଥାନରେ ରାହୁଲ ଦ୍ରାବିଡଙ୍କୁ ଦଳର କୋଚ୍ ଭାବରେ ଦାୟିତ୍ୱ ମିଳିପାରେ । ଟିମ ଇଣ୍ଡିଆ ଦ୍ରାବିଡଙ୍କ କୋଚିଙ୍ଗରେ ଟି-୨୦ ବିଶ୍ୱ ଚମ୍ପିଆନ୍ ହୋଇଛି । ତେଣୁ ଦିଲ୍ଲୀ ମଧ୍ୟ ଆଇପିଏଲ ବିଜୟୀ ହେବା ଆଶାରେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିପାରେ ।

ଟିମ ଇଣ୍ଡିଆକୁ ଟି-୨୦ ବିଶ୍ୱକପ ବିଜୟୀ କରାଇବା ପରେ ଦଳର କୋଚ୍ ଭାବରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ବର୍ତ୍ତମାନ ଦ୍ରାବିଡଙ୍କ ସ୍ଥାନରେ ଗୌତମ ଗମ୍ଭୀର ଭାରତର ନୂଆ କୋଚ୍ ଭାବରେ ନିୟୋଜିତ ହୋଇଛନ୍ତି । ତେବେ ଭାରତର କୋଚ୍ ପଦବୀ ଛାଡ଼ିବା ପରେ ଏବେ ବିସିସିଆଇର ନିୟମରୁ ମଧ୍ୟ ମୁକ୍ତ ହୋଇଛନ୍ତି ଦ୍ରାବିଡ । ତେଣୁ ଏହାପରେ ସେ ଆଇପିଏଲକୁ କମବ୍ୟାକ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଆସନ୍ତା ସିଜନରେ ସେ କେଉଁ ଦଳରେ ସାମିଲ ହେବେ, ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ତେବେ ଚର୍ଚ୍ଚା ହେଉଛି ଯେ, ଆସନ୍ତା ସିଜନରେ ଦ୍ରାବିଡ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମୁଖ୍ୟ କୋଚ୍ ଭାବରେ ନିଯୁକ୍ତି ପାଇପାରନ୍ତି । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ରିକି ପଣ୍ଟିଂଙ୍କୁ କୋଚ୍ ପଦବୀରୁ ହଟାଇବା ପରେ ଏହି ଆଲୋଚନା ଆହୁରି ଚର୍ଚ୍ଚା ଜୋର ଧରିଛି । ରାହୁଲ ଦ୍ରାବିଡଙ୍କୁ ନୂଆ କୋଚ୍ ଭାବେ ଦୃଷ୍ଟିରେ ରଖି ଟିମ ମ୍ୟାନେଜମେଣ୍ଟ ରିକି ପଣ୍ଟିଂଙ୍କୁ ଦାୟିତ୍ୱରୁ ହଟାଇଥିବା ଆଲୋଚନା ହେଉଛି ।

ଏହାବ୍ୟତୀତ ଗୌତମ ଗମ୍ଭୀର ଟିମ ଇଣ୍ଡିଆର କୋଚ୍ ହେବା ପରେ କୋଲକାତା ନାଇଟ ରାଇଡର୍ସରେ ମଧ୍ୟ ତାଙ୍କ ସ୍ଥାନ ଫାଙ୍କା ପଡ଼ିଛି । ତେଣୁ ରାହୁଲ ଦ୍ରାବିଡଙ୍କୁ ଗମ୍ଭୀରଙ୍କ ସ୍ଥାନରେ କୋଲକାତା ମେଣ୍ଟର ଭାବରେ ସାମିଲ କରିପାରେ ବୋଲି ମଧ୍ୟ କୁହାଯାଉଛି । କିନ୍ତୁ ଏ ନେଇ ଦ୍ରାବିଡ କିମ୍ବା କୌଣସି ଟିମ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ । ରାହୁଲ ଦ୍ରାବିଡଙ୍କ ଅଧୀନରେ ଟିମ ଇଣ୍ଡିଆ ଚଳିତବର୍ଷ ଟି-୨୦ ବିଶ୍ୱ ଚମ୍ପିଆନ୍ ହୋଇଛି । ଏହାବ୍ୟତୀତ ସେ ଭାରତର ସବୁଠାରୁ ସଫଳ କୋଚ୍ ମାନଙ୍କ ତାଲିକାରେ ମଧ୍ୟ ସାମିଲ ହୋଇଛନ୍ତି । ତେଣୁ ଆଇପିଏଲର ଅଧିକାଂଶ ଦଳ ତାଙ୍କୁ ଦଳରେ ସାମିଲ କରିବାକୁ ଚାହିଁବେ ।

Get real time updates directly on you device, subscribe now.