ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଦା ଓ ପରିବା ବର୍ଜବ୍ୟସ୍ତୁରୁ ପ୍ରସ୍ତୁତ ହେବ କମ୍ପ୍ରେସଡ ନ୍ୟାଚୁରାଲ ଗ୍ୟାସ (ସିଏନଜି) । ଏଥିପାଇଁ ଭୁବନେଶ୍ୱର ଠାରେ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଓ ଅଏଲ ଇଣ୍ଡିଆ ଲିମିଟେଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ରାଜଧାନୀରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବା ଫଳରେ ଦୈନିକ ୨୦୦ ଟନ୍ ଗ୍ୟାସ୍ ଉତ୍ପାଦିତ ହେବ । କେଶୁରା ନିକଟସ୍ଥ ମେହେରପାଲିରେ ଏହି ପ୍ଲାଣ୍ଟ ସ୍ଥାପନ ନେଇ ନିଷ୍ପତ୍ତି ହୋଇଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନା ମୁତାବକ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୮ ଏକର ଜମି ଯୋଗାଇ ଦେଇଥିବା ବେଳେ ଆଗାମୀ ଦିନରେ ୬ଟି ମ୍ୟୁନିସିପାଲଟି ବା ବଡ଼ ସହରମାନଙ୍କରେ ମଧ୍ୟ ଏହା ସ୍ଥାପନ ହେବ ବୋଲି କୁହାଯାଇଛି । ରାଜ୍ୟର ପୁଣୀ, କୋଣାର୍କ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, କଟକରେ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଏଥିପାଇଁ ୧୭୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ବାୟୋଗ୍ୟାସ୍ ଇନ୍ଦୋର ଓ ଗୋଆରେ ପରୀକ୍ଷାମୂଳକ ଭାବେ କରାଯାଇଥିବା ବେଳେ ଏବେ ଭୁବନେଶ୍ୱରରେ ବାୟୋଗ୍ୟାସ ଉତ୍ପାଦନ କରିବ ଅଏଲ ଇଣ୍ଡିଆ ଲିମିଟେଡ । ସାରା ଦେଶର ୨୫ଟି ସହରରେ ଏହି ବାୟୋଗ୍ୟାସ୍ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ଅଏଲ ଇଣ୍ଡିଆ ଲିମିଟେଡର ଏମଡି ସୂଚନା ଦେଇଛନ୍ତି ।