fbpx

ଗଡ଼କରୀଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ଅଶୋକ ଚୌହ୍ୱାନ, କହିଲେ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ବିଜେପିର ଅନେକ ନେତୃବୃନ୍ଦ ସେମାନଙ୍କ କାର୍ଯ୍ୟଶୈଳୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏପରିକି ବେଳେବେଳେ ବିରୋଧୀ ଦଳ ନେତାମାନେ ମଧ୍ୟ ସେମାନଙ୍କୁ ପ୍ରଶଂସା କରିବାକୁ ପଛାଇ ନଥାନ୍ତି । ଏହାରି ମଧ୍ୟରେ ମହାରାଷ୍ଟ୍ର ସରକାରରେ ରହିଥିବା ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଚୌହ୍ୱାନ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସା କରି ଚର୍ଚ୍ଚାରେ ରହିଛନ୍ତି । ଗତ ରବିବାର ସେ ମୋଦୀ ସରକାରଙ୍କୁ ଖୁବ୍ ସମାଲୋଚନା କରିଥିଲେ । କୋଭିଡ୍-୧୯ ମହାମାରୀକୁ ସଫଳତାର ସହ ମୁକାବିଲା କରିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବା ସେ ଅଭିଯୋଗ କରିଥିଲେ । କିନ୍ତୁ ଏହାରି ମଧ୍ୟରେ ସେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ । କହିଥିଲେ ଯେ ଏକ ଭୁଲ୍ ଦଳରେ ରହିଛନ୍ତି ଜଣେ ଠିକ୍ ବ୍ୟକ୍ତି । ଅଶୋକଙ୍କ ଏଭଳି ମନ୍ତବ୍ୟକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ସରଗରମ ହୋଇଛି ।

ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଦୁଇବର୍ଷ ତଥା ମୋଟ ୭ବର୍ଷ ପୂର୍ତ୍ତିର ଅବସରରେ ଭର୍ଚୁଆଲ୍ ପ୍ରେସ୍ ମିଟ୍ରେ ସମ୍ବୋଧିତ ଦେଇ କଂଗ୍ରେସ ନେତା ଶ୍ରୀ ଚୌହ୍ୱାନ କହିଛନ୍ତି ଯେ କେନ୍ଦ୍ର ସବୁ ପ୍ରକାର ନିଷ୍ପତ୍ତି ନେବାର ଶକ୍ତି ନିଜ ପାଖରେ ହିଁ ରଖି ଦେଇଛନ୍ତି । କିନ୍ତୁ ମହାମାରୀ କରୋନା ସଂକ୍ରମଣକୁ ନେଇ ସ୍ଥିତି ବିଗିଡ଼ିବା ପରେ ସମ୍ପ୍ରତି ରାଜ୍ୟଗୁଡ଼ିକ ଉପରକୁ ଦୋଷ ଲଦି ଦିଆଯାଉଛି । ତେବେ ଯେତେବେଳେ ତାଙ୍କୁ ପଚରା ଯାଇଥିଲା କି ମୋଦୀ ସରକାରରେ କଣ କେହି ତାଙ୍କର ପସନ୍ଦର ମନ୍ତ୍ରୀ ନାହାନ୍ତି, ସେ କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ତଥା ନାଗପୁର ସାଂସଦ ନୀତୀନ ଗଡ଼କରୀଙ୍କୁ ‘ଭଲ’ ବୋଲି କୁହାଯାଇପାରିବ । ବୈଚାରିକ ମତଭେଦ ଥିଲେ ମଧ୍ୟ ଶ୍ରୀ ଗଡ଼କରୀ ଅନ୍ୟ ଦଳ ସହ ଖବର ଆଦାନପ୍ରଦାନ କରିଥାନ୍ତି । ତେଣୁ ଏକ ଭୁଲ୍ ଦଳରେ ଜଣେ ସଚ୍ଚୋଟ ବ୍ୟକ୍ତି ରହିଯାଇଛନ୍ତି ବୋଲି ଶ୍ରୀ ଚୌହ୍ୱାନ କହିଛନ୍ତି । ଏପରିକି ଗଡ଼କରୀଙ୍କ ମହାରଷ୍ଟ୍ର ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ରହିଛି କିନ୍ତୁ ତାଙ୍କ କ୍ଷମତାକୁ କ୍ରମାଗତ ହ୍ରାସ କରାଯାଉଛି ବୋଲି ମଧ୍ୟ ଅଶୋକ ପ୍ରକାଶ କରିଛନ୍ତି ।

ଏଥିସହ ଶ୍ରୀ ଚୌହ୍ୱାନ କହିଛନ୍ତି ଯେ ପେଟ୍ରୋଲ୍ ଦର ୧୦୦ ଟଙ୍କା ପ୍ରତି ଲିଟରରେ ପହଞ୍ôଚ ଗଲାଣି । ଏପରିକି ୧୨.୨୧ କୋଟି ଲୋକ ନିଜ ଚାକିରି ହରାଇଲେଣି। ଏପରିକି ବଙ୍ଗଳାଦେଶ  ନାଗରିକଙ୍କ ଆୟ ଭାରତୀୟଙ୍କ ତୁଳନାରେ ଅଧିକ ରହିଛି । କେନ୍ଦ୍ରର ଏଭଳି ଦାୟିତ୍ୱହୀନ ନୀତି ଦେଶକୁ ଏଭଳି ସଂକଟ ପରିସ୍ଥିତିକୁ ନେଇ ଆସିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.