ହରିୟାଣାରେ ପରାଜୟର କାରଣ ଖୋଜିବା ପାଇଁ କଂଗ୍ରେସ ଗଠନ କଲା ୮ ଜଣିଆ କମିଟି

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟବରଣ କରିଥିବା ବେଳେ ବିଜେପି କ୍ଷମତାସୀନ ହୋଇଥିଲା । ତେବେ ହରିୟାଣାରେ କଂଗ୍ରେସ କ’ଣ ପାଇଁ ହାରିଲା ତା’ର କାରଣ ଖୋଜିବା ପାଇଁ କଂଗ୍ରେସ ଏକ ୮ ଜଣିଆ କମିଟି ଗଠନ କରିଛି । ଏକ ସପ୍ତାହ ମଧ୍ୟରେ ଏହି ଟିମ୍ ରିପୋର୍ଟ ପ୍ରଦାନ କରିବ । ପୂର୍ବତନ ମନ୍ତ୍ରୀ କରଣ ସିଂହ ଦଲାଲଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି । ସେହିପରି କଂଗେସ୍ର ଲିଗାଲ ସେଲର ଅଧ୍ୟକ୍ଷ କେସି ଭାଟିୟା, ଆଫତାବ ଅହମଦ, ବିରେନ୍ଦ୍ର ରାଠୋର, ବିଜୟ ପ୍ରତାପ ସିଂହ, ବିରେନ୍ଦ୍ର ବୁଲ୍ଲେ ଶାହ, ମୀନଷା ସାଙ୍ଗୱାନ ଓ ଜୟବୀର ବାଲ୍ମୀକିଙ୍କୁ ଏହି ଟିମରେ ସାମିଲ କରାଯାଇଛି ।

ସୂଚନାଯୋଗ୍ୟ ଯେ, ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଅକ୍ଟୋବର ୮ରେ ପ୍ରକାଶ ପାଇଥିଲା । ବିଜେପି ମୋଟ ୪୮ଟି ଆସନରେ ଜିତି ବହୁମତ ହାସଲ କରିଥିବା ବେଳେ କଂଗ୍ରେସ ମାତ୍ର ୩୭ଟି ଆସନରେ ଅଟକି ଯାଇଥିଲା । ସେହିପରି ଇଣ୍ଡିଆନ ନ୍ୟାସନାଲ ଲୋକ ଦଲ- ଆଇଏନଏଲଡିକୁ ୨ଟି ଓ ସ୍ୱାଧିନ ପ୍ରାର୍ଥୀଙ୍କୁ ୩ଟି ଆସନ ମିଳିଥିଲା । ରାଜ୍ୟରେ ବିଜେପିକୁ କ୍ଷମତାଚ୍ୟୁତ କରି ହରିୟାଣାରେ ସରକାର ଗଠନ ପାଇଁ ସ୍ୱପ୍ନ ଦେଖିଥିବା କଂଗ୍ରେସକୁ ଏହି ନିର୍ବାଚନରେ ଲାଗିଥିଲା ବଡ଼ ଝଟକା ।