ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା କନଷ୍ଟେବଳ / ସିପାହୀ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଅକ୍ଟୋବର ୩୦ ଆବେଦନର ଅନ୍ତିମ ତାରିଖ ରହିଥିବା ଏବେ ନଭେମ୍ବର ୧୫ ପର୍ଯ୍ୟନ୍ତ ଉକ୍ତ ସମୟସୀମାକୁ ବୃଦ୍ଧି କରାଯାଇଛି । ରାଜ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ଚୟନ ବୋର୍ଡ, ଓଡ଼ିଶା ପୋଲିସ, କଟକ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ତେଣୁ ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରାର୍ଥୀମାନେ କନଷ୍ଟେବଳ / ସିପାହୀ ପଦ ପାଇଁ ଅନଲାଇନରେ ଆବେଦନ କରିପାରିବେ ।
କନଷ୍ଟେବଳ / ସିପାହୀ ପଦ ପାଇଁ ଧାର୍ଯ୍ୟ ହୋଇଥିବା ସର୍ବାଧିକ ବୟସସୀମାରେ ୬ ବର୍ଷ କୋହଳ ପ୍ରସଙ୍ଗରେ ଦାୟର ହୋଇଥିବା ମାମଲାର ବିଚାର କରି ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ଗତ ସେପ୍ଟେମ୍ବର ୨୨ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିରେ ପ୍ରାର୍ଥୀଙ୍କର ସର୍ବାଧିକ ବୟସସୀମା ୨୩ ବର୍ଷ ଧାର୍ଯ୍ୟ ହୋଇଥିଲା । ତେବେ ଏହାକୁ ନେଇ ଅନେକ ଆଶାୟୀ ଅସନ୍ତୁଷ୍ଟ ହେବା ସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷ ଥର ପାଇଁ ୨୦୧୮ରେ କନଷ୍ଟେବଳ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିବା ବେଳେ ୬ ବର୍ଷ ପରେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ସର୍ବାଧିକ ବୟସସୀମା ୨୩ ବର୍ଷ କରାଯାଇ ଥିବାରୁ ଅନେକ ପ୍ରାର୍ଥୀ ଏଥିରେ ଆବେଦନରୁ ବଞ୍ଚିତ ହୋଇଥିଲେ । ତେଣୁ ଏଭଳି ସ୍ଥିତିରେ ୬ ବର୍ଷ କୋହଳ କରାଯାଇ ସର୍ବାଧିକ ବୟସସୀମା ୨୯ ବର୍ଷ କରିବାକୁ ଦାବି ହୋଇଥିଲା । ଏ ସମ୍ପର୍କିତ ଅନ୍ୟ ୧୭ଟି ମାମଲା ସହିତ ୩ଟି ମାମଲାର ଶୁଣାଣି ନଭେମ୍ବର ୧୧ରେ କରାଯିବ ।
ସୂଚନାଯୋଗ୍ୟ ଯେ, ପ୍ରଥମେ ମୋଟ ୧୩୬୦ଟି ସିପାହୀ / କନଷ୍ଟେବଳ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ୭୨୦ଟି ପଦ ସେଥିରେ ଯୋଡ଼ା ଯାଇଥିଲା । ଏହାଫଳରେ ମୋଟ ପଦ ସଂଖ୍ୟା ୨୦୮୦କୁ ବୃଦ୍ଧି ପାଇଥିଲା । ସେପ୍ଟେମ୍ବର ୨୩ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୨୩ ଆବେଦନର ଅନ୍ତିମ ତାରିଖ ରହିଥିଲା । ମାତ୍ର ପାର୍ବଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ତାହାକୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।