fbpx

ଥମିଲାଣି କରୋନା ମହାମାରୀ: ଦେଶରେ କମ୍ ହୋଇଛି ସଂକ୍ରମଣ, ମୃତ୍ୟୁସଂଖ୍ୟା ଶୂନ

ନୂଆଦିଲ୍ଲୀ: ଅଚାନକ ଦେଶରେ କାୟା ବିସ୍ତାର କରିଥିବା କରୋନା ମହାମାରୀ ଏବେ ଶାନ୍ତ ହେବା ଆରମ୍ଭ କରିଛି । ଦେଶରେ ସଂକ୍ରମଣ ହାର କମ୍ ହେବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ଶୂନରେ ପହଞ୍ଚିଛି । ଫଳରେ ଦେଶବାସୀଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି । ଦେଶରେ ବୃଦ୍ଧି ପାଉଥିବା JN.1 ଭାଇରସର ଭୟାବହତା ଏବେ ତଳମୁହାଁ ହୋଇଥିବା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୌଣସି ଆକ୍ରାନ୍ତ ପ୍ରାଣ ହରାଇ ନାହାନ୍ତି । ତେଣୁ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏବଂ ସାରା ଦେଶବାସୀଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର ।

ସାରା ଦେଶରେ ଶନିବାର କରୋନାର ୪୪୧ଟି ନୂଆ ପଜିଟିଭ କେସ ଚିହ୍ନଟ କରାଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପରିବାର ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶର କୌଣସି କରୋନା ସଂକ୍ରମିତ ପ୍ରାଣ ହରାଇନାହାନ୍ତି । ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ମୃତ୍ୟୁସଂଖ୍ୟା ୫,୩୩,୪୧୨ ରହିଛି । ଏହା ମଧ୍ୟରେ ମୋଟ ଆକ୍ଟିଭ ସଂଖ୍ୟା ୩,୯୧୯ରୁ ହ୍ରାସ ପାଇଁ ୩,୨୮୨ରେ ପହଞ୍ଚିଛି । ଗତ ଡିସେମ୍ବର ମାସରୁ କରୋନାର ନୂଆ ଭାରିଆଣ୍ଟ JN.1 ଭାଇରସର ଆତଙ୍କ ସାରା ଦେଶକୁ ଭୟଭୀତ କରିଥିଲା । ସାରା ଭାରତର ବିଭିନ୍ନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସହ ଦିନକୁ ଦିନ ମୃତ୍ୟୁସଂଖ୍ୟାରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା ।

ଜାନୁୟାରୀ ୧୧ ତାରିଖ ସୁଦ୍ଧା ଭାରତର ମୋଟ ୧୨ଟି ରାଜ୍ୟରେ ଏହି ଭାଇରସରେ ୮୨୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ମହାରାଷ୍ଟ୍ରରେ ସର୍ବାଧିକ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରୁ ୧୯୯ ଜଣ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏହାବ୍ୟତୀତ ଗୋଆ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଦିଲ୍ଲୀ ଏବଂ ଓଡ଼ିଶା ମଧ୍ୟ ସାମିଲ ରହିଛି । ତେବେ ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ତିତି ନିୟନ୍ତ୍ରଣ ପାଇଁ ଆଲୋଚନା ଜାରି ରହିଛି ।

Get real time updates directly on you device, subscribe now.