fbpx

ବଢୁଛି କରୋନା ଭୟ; ଉଚ୍ଚ ସ୍ତରୀୟ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଯୋଗ ଦେବେ ଅମିତ ଶାହା

ନୂଆଦିଲ୍ଲୀ: ପଡୋଶୀ ଦେଶ ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ବିପଦ ମଧ୍ୟରେ ଭାରତରେ ମଧ୍ୟ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଏଠାରେ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇସାରିଛି । ବର୍ତ୍ତମାନ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ କରୋନା ଏବଂ ବଢୁଥିବା ସଂକ୍ରମଣ ଉପରେ ଆଲୋଚନା କରାଯିବ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗ ଦେବେ । ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବେ ବୋଲି କୁହାଯାଉଛି । ଦେଶରେ ଓମିକ୍ରନର ବିଏଫ୍-୭ ସବ୍-ଭାରିଆଣ୍ଟର ପାଞ୍ଚଟି ମାମଲା ନିଶ୍ଚିତ ହେବାପରେ ପ୍ରଧାନମନ୍ତ୍ରୀ ଏହି ବୈଠକ ଡାକିଛନ୍ତି ।

ଚୀନରେ ବଢୁଥିବା କରୋନା ଭାଇରସ ପାଇଁ ଭାରତ ସତର୍କ ରହିବା ଆରମ୍ଭ କଲାଣି । ଘରୋଇ ପରିସ୍ଥିତିର ସମୀକ୍ଷା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ମଧ୍ୟ ବୁଧବାର ଦିନ ଦେଶର କୋଭିଡ-୧୯ ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି ।
ଏହି ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜଧାନୀ ଦିଲ୍ଲୀରେ ମଧ୍ୟ ଏକ ସମୀକ୍ଷା ବୈଠକ ଡାକିଛନ୍ତି । ନମୁନାଗୁଡିକର ଜିନୋମ କ୍ରମ ପରୀକ୍ଷା କରିବା ସହ ଅନ୍ୟାନ୍ୟ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଦିନ ଦିଲ୍ଲୀରେ କରୋନା ସଂକ୍ରମଣର ପାଞ୍ଚଟି ମାମଲା ସାମ୍ନାକୁ ଆସିଛି ଏବଂ ବର୍ତ୍ତମାନ ଏଠାରେ ସକ୍ରିୟ ହାର ୦.୯% ରହିଛି । ଏହି ସମୟରେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।

କୋଭିଡ ମାମଲା ବୃଦ୍ଧି ହେବାର ଆଶଙ୍କାକୁ ନଜରରେ ରଖି ଉତ୍ତରପ୍ରଦେଶ ସରକାର ବୁଧବାର ଦିନ ସାରା ରାଜ୍ୟରେ ସତର୍କ ସୂଚନା ଜାରି କରିଛନ୍ତି । ସେହିପରି ବିମାନବନ୍ଦରରେ ମନିଟରିଂ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ଏବଂ ସଂକ୍ରମଣ ପ୍ରଭାବିତ ଦେଶକୁ ଯାତ୍ରା କରିବା ପରେ ଫେରୁଥିବା ଲୋକଙ୍କୁ ମଧ୍ୟ ତଦାରଖ କରାଯିବା ଉଚିତ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.