fbpx

ସରିନାହିଁ କରୋନା ଲଢ଼େଇ, ଏବେ ଭାରତ ପାଇଁ ସତର୍କ ଘଣ୍ଟି: ଆମେରିକା ଓ ବ୍ରାଜିଲକୁ ପୁଣି ଫେରିଲାଣି ଭାଇରସ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶରେ କରୋନାର ପ୍ରକୋପରେ ସାମାନ୍ୟ ସ୍ଥାଣୁତା ଦେଖାଦେବା ପରେ ଅଧିକାଂଶ ରାଜ୍ୟରେ କଟକଣା କୋହଳ କରାଯାଇଛି । ତେବେ ଆଗକୁ ତୃତୀୟ ଲହର ଆସିବାର ଆଶଙ୍କା ରହିଥିଲେ ମଧ୍ୟ ଅଧିକାଂଶ ଲୋକ କୋଭିଡକୁ ନେଇ ସେତେଟା ଚିନ୍ତିତ ଥିବା ଜଣାପଡ଼ୁ ନାହିଁ । ତେବେ ଏହି ସମୟରେ ପୂର୍ବରୁ ଅଧିକ ସଂକ୍ରମଣର ଶିକାର ହୋଇଥିବା ଦେଶ ଆମେରିକା ଓ ବ୍ରାଜିଲରେ ଏବେ ପୁଣି କରୋନାର ପ୍ରାଦୁର୍ଭାବ ଦେଖିବାକୁ ମିଳିଲାଣି । ଅପରପକ୍ଷେ ଏହି ଦୁଇ ଦେଶକୁ କରୋନା ଫେରିଥିବାରୁ ଭାରତ ପାଇଁ ଏହା ସତର୍କ ଘଣ୍ଟି ସଦୃଶ ହୋଇଛି । ସମଗ୍ର ବିଶ୍ୱରେ ଭାରତ ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମୃତ୍ୟୁସଂଖ୍ୟାରେ ତୃତୀୟ ସଂଖ୍ୟାରେ ରହିଛି ।

ବର୍ତ୍ତମାନ ଆମେରିକାରେ ମୋଟ ସଂକ୍ରମଣ ୩.୬ କୋଟି ଓ ମୃତ୍ୟୁ ସଂଖ୍ୟା ୬ ଲକ୍ଷ, ବ୍ରାଜିଲରେ ସଂକ୍ରମଣ ୨ କୋଟି ଓ ମୃତ୍ୟୁସଂଖ୍ୟା ୫ ଲକ୍ଷ, ଭାରତରେ ସଂକ୍ରମଣ ୩ କୋଟି ଓ ମୃତ୍ୟୁସଂଖ୍ୟା ୪ ଲକ୍ଷ ଉପରେ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେରିକାରେ ଏବେ ଦୈନିକ ସଂକ୍ରମଣ ୧ ଲକ୍ଷ ୭ ହଜାର ଛୁଇଁଥିବା ବେଳେ ୭୦ ପ୍ରତିଶତ ଲୋକ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି । ଉଭୟ ସଂକ୍ରମଣ ଓ ମୃତ୍ୟୁ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ସେହିପରି ବ୍ରାଜିଲରେ ଦୈନିକ ମୃତ୍ୟୁ ୧ ହଜାର, ଓ ଦୈନିକ ସଂକ୍ରମଣ ୪୦ ହଜାର ଟପିବା ଚିନ୍ତା ବଢ଼ାଇ ଦେଇଛି । ଭାରତରେ ଏବେ ପ୍ରାୟ ଅଧିକାଂଶ ଅଞ୍ଚଳରେ କଟକଣା କୋହଳ କରାଯାଇଥିବାରୁ ଏହାର ସୁଯୋଗ ନେଇ ଭାଇରସ୍ ପ୍ରକୋପ ଦେଖାଇପାରେ । ଏବେ ଦେଶର ୧୦ ରାଜ୍ୟରେ ଆର୍. ଭାଲ୍ୟୁ ଜାତୀୟ ହାରଠାରୁ ଅଧିକ ରହିଥିବା ବେଳେ ଦୈନିକ ମୃତ୍ୟୁ ୪୯୧ ଓ ସଂକ୍ରମଣ ୩୯ ହଜାର ରହିଛି ।

Get real time updates directly on you device, subscribe now.