ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତରେ ଦୈନିକ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । କୋଭିଡ୍ ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନ ମାମଲା କମିବାରେ ଏବେ ଆଶ୍ୱସ୍ତି ମିଳିଛି । ତେବେ କେବଳ କେନ୍ଦ୍ର ଏବଂ ରାଜ୍ୟ ସରକାର ନୁହଁନ୍ତି, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ କୋଭିଡ ଟିକା ନେବାକୁ ଅପିଲ୍ କରୁଛନ୍ତି । କରୋନାର ଉଭୟ ଡୋଜ ବ୍ୟତୀତ, ଭାରତର ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ବୁଷ୍ଟର ଡୋଜ ମଧ୍ୟ ଦିଆଯାଉଛି । ଏଥି ସହିତ, ୧୨ ବର୍ଷରୁ ଅଧିକ ପିଲାମାନଙ୍କୁ ମଧ୍ୟ କରୋନା ଟିକା ଦେବା ପାଇଁ ଅନୁମୋଦନ କରାଯାଇଛି । ଏହାସହିତ ଛୋଟ ପିଲାମାନଙ୍କ ପାଇଁ ଟିକାର ଏବେ ପରୀକ୍ଷଣ ଚାଲିଛି ଓ କିଛି ଦେଶରେ ପିଲାଙ୍କୁ ଟିକା ଦେବା ମଧ୍ୟ ଆରମ୍ଭ ହୋଇଯାଇଛି ।
ତେବେ କରୋନା ମହାମାରୀ ଏବେ ଫ୍ଲୁ ଆଦି ପରି ଏଣ୍ଡମିକ୍ ହେବା ଦିଗରେ ଅଗ୍ରସର ହେଉଛି । ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଯେ, କଣ କରୋନା ଭାକସିନ୍ ଭାରତରେ ନିୟମିତ ଟିକାକରଣରେ ସାମିଲ ହେବ? କଣ ପିଲାମାନଙ୍କୁ ଛୋଟ ବେଳେ ଦିଆଯାଇଥିବା ଟିକା ମଧ୍ୟରେ ଏହାକୁ ବି ସାମିଲ୍ କରାଯିବ?
ଏ ସନ୍ଦର୍ଭରେ ଆଇସିଏମଆର୍ , ଯୋଧପୁର ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଇମ୍ପଲିମେଣ୍ଟେସନ୍ ରିସର୍ଚ୍ଚ ଅନ୍ ନନ୍-କମ୍ୟୁନିକେସନ୍ ଡିଜିଜ୍ ର ନିର୍ଦ୍ଦେଶକ କରୁଣ ଶର୍ମା କହିଛନ୍ତି ଯେ, ଭାରତରେ ଏବେ ଏଭଳି ପରିସ୍ଥିତି ଆସିନାହିଁ ଯେ, ଏହାକୁ ନିୟମିତ ଟିକାକରଣରେ ସାମିଲ କରାଯିବ । ଭାକସିନ୍ ର ଅନେକ ପର୍ଯ୍ୟାୟ ରହିଛି । ଯେପରିକି ଏହାକୁ ପ୍ରଥମେ ବୟସ ହିସାବରେ ଦିଆଗଲା । କରୋନାର ନୂତନ ଭାରିଆଣ୍ଟ୍ ଆସିବା ପରେ ପୁଣି ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଗଲା । କେବଳ ଭାରତରେ ନୁହେଁ ବରଂ ବାହାର ଦେଶ ମାନଙ୍କରେ ବୁଷ୍ଟର୍ ଡୋଜ୍ ଦିଆଯାଉଛି ।
ତେବେ ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ ଅଧ୍ୟୟନ ଜାରି ରହିଛି । ଯେହେତୁ ଏହି ରୋଗକୁ ଆସିବାକୁ ବେଶି ସମୟ ଲାଗିନି ତେଣୁ ଏହା ଉପରେ ଏବେ ଆହୁରି ଅନୁସନ୍ଧାନ ବାକି ରହିଛି ଓ ଏଥିପାଇଁ ଆହୁରି ସମୟ ଲାଗିବ । ଆଉ ଯଦି ବୁଷ୍ଟର୍ ଡୋଜ୍ ଦେବା ପରେ ବି ଇମ୍ୟୁନିଟି କେବଳ ୧ ବର୍ଷ କିମ୍ବା ୬ ମାସ ପାଇଁ ରହୁଛି ଓ ମହାମାରୀ ସମାପ୍ତ ହେଉନାହିଁ ତାହେଲେ ପ୍ରତିବର୍ଷ ଟିକା ଦିଆଯିବା ବିଷୟରେ ଭାବିବାକୁ ହେବ । ବର୍ତ୍ତମାନ ପାଇଁ କିଛି ବି କୁହାଯାଇପାରିବ ନାହିଁ ।