fbpx

କାଗଜ କଲମରେ ଲାଗିଲା ବିଜୁଳୀ ଖୁଣ୍ଟରେ ଆର୍ଥିଂ, ଲକ୍ଷାଧକ ଟଙ୍କା ଚଳୁ

ବିଜୁଳି ଖୁଣ୍ଟରେ ଆର୍ଥୀଂ ଲଗାଇବା ନାଁରେ ବଡ଼ କେଳେଙ୍କାରୀ । କେନ୍ଦୁଝର ଜିଲ୍ଲାରେ ଥିବା ପୌରାଞ୍ଚଳ ଆଲୋକୀକରଣ କାର୍ଯ୍ୟକ୍ରମରେ ହୋଇଛି ବ୍ୟପାକ ଦୁର୍ନୀତି।

୨୦୧୯ ମସିହାରେ କେନ୍ଦୁଝର ସହର ତଥା ଅନ୍ୟ ପୌରାଞ୍ଚଳରେ ଆଲୋକୀକରଣ ପାଇଁ ଏଲ୍ଇଡି ଲାଇଟ୍ ଲଗାଇବାକୁ ଯୋଜନା ହୋଇଥିଲା, କେନ୍ଦୁଝରଗଡ଼ ପୌରପରିଷଦ ପକ୍ଷରୁ ବିଧିବଦ୍ଧ ଟେଣ୍ଡର ହୋଇଥିଲା । ଏଥିରେ ଏସେଲ (EESL) କମ୍ପାନି ଭାଗନେଇ ଟେଣ୍ଡର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା । ସେତେବେଳେ ସହରର ଆଲୋକୀକରଣ ପାଇଁ ଟେଣ୍ଡର ମୂଲ୍ୟ ଥିଲା ୯ କୋଟି ୨୩ ଲକ୍ଷ ଟଙ୍କା । ଏହି ଅର୍ଥରେ ୨୧ଟି ୱାର୍ଡରେ ଥିବା ଏଲ୍ଟି ବିଜୁଳି ଖୁଣ୍ଟରେ ଏଲଇଡି ଲାଇଟ୍ ଲଗାଯିବା କଥା। ଏହାଛଡ଼ା ବଜ୍ରପାତ ଯୋଗୁଁ ବାରମ୍ବାର ମୂଲ୍ୟବାନ ଏଲ୍ଇଡି ଲାଇଟ୍ ନଷ୍ଟ ନହେବା ପାଇଁ ପ୍ରତ୍ୟେକ ଖୁଣ୍ଟ ମୂଳେ ଆର୍ଥିଂ ବ୍ୟବସ୍ଥା କରିବାକୁ ନିୟମ ରହିଥିଲା। ଆର୍ଥିଂ ପାଇଁ ପ୍ରତ୍ୟେକ ଖୁଣ୍ଟ ପିଛା ୧୮୦୦ ଟଙ୍କା ବ୍ୟବସ୍ଥା ଥିଲା।

ହିସାବ ଅନୁସାରେ, କେନ୍ଦୁଝରଗଡ଼ ପୌରପରିଷଦର ସମସ୍ତ ୨୧ଟି ୱାର୍ଡରେ ୧୩୦୦ଟି ବିଜୁଳି ଖୁଣ୍ଡରେ ଏଲ୍ଇଡି ଲାଇଟ୍ ଲାଗିଛି । ମାତ୍ର ଠିକାସଂସ୍ଥା ଏସେଲ (EESL) କମ୍ପାନି ଚଞ୍ଚକତା କରି ଅଧିକାଂଶ ଖୁଣ୍ଟରେ ଆର୍ଥିଂ କରିନାହିଁ। ସବୁଠୁ ବଡ଼ କଥା ହେଉଛି, ଖୁଣ୍ଟରେ ଆର୍ଥିଂ ବ୍ୟବସ୍ଥା ନଥିଲେ ବି ଆର୍ଥିଂ ହୋଇଛି ବୋଲି ଦର୍ଶାଯାଇ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମାରି ନେଇଛି ଠିକାସଂସ୍ଥା।

ପୌରପରିଷଦର ୧୭ ନମ୍ବର ୱାର୍ଡ ବଡ଼ହଳ ଗ୍ରାମରେ ୪୭ଟି ବିଜୁଳି ଖୁଣ୍ଟରେ ଆର୍ଥିଂ ହୋଇଛି ବୋଲି ଦର୍ଶାଇ ଠିକାସଂସ୍ଥା ବିଲ୍ ହାତେଇଛି । ହେଲେ ଏଠାରେ ମାତ୍ର ଗୋଟିଏ ବିଜୁଳି ଖୁଣ୍ଟରେ ଆର୍ଥିଂ ହୋଇଛି। ଅବଶିଷ୍ଟ ଖୁଣ୍ଟ ବିନା ଆର୍ଥିଂରେ ରହିଛି। ଖୁଣ୍ଟ ପିଛା ୧୮୦୦ ଟଙ୍କା ଲେଖାଏଁ ହିସାବ କଲେ କେବଳ ବଡ଼ହଳରୁ ଠିକାସଂସ୍ଥା ଆର୍ଥିଂ ବାବଦକୁ ଚଞ୍ଚକତା କରି ନେଇଛି ୮୪ ହଜାର ୬୦୦ ଟଙ୍କା। କେବଳ ୧୭ ନମ୍ବର ୱାର୍ଡ ନୁହେଁ, ଜିଲ୍ଲାର ସମସ୍ତ ୫ଟି ପୌରାଞ୍ଚଳର ଅବସ୍ଥା ସମାନ।

ସାଧାରଣତଃ ଠିକାସଂସ୍ଥାମାନେ ବିଜୁଳି ଖୁଣ୍ଟ ପୋତିଲା ବେଳେ କିମ୍ବା ଲାଇଟ୍ ଲଗାଇବା ବେଳେ ଆର୍ଥିଂରେ ଅଧିକ ଠକେଇ କରିଥାନ୍ତି। ଏହା ଏକ ଛୋଟ କାମ ଭାବି ପ୍ରାୟତଃ କେହି ଧ୍ୟାନ ଦିଅନ୍ତି ନାହିଁ । କାଗଜ କଲମ ରେ କେନ୍ଦୁଝର ଗଡ଼  ପୌରପରିଷଦ ର ୨୧  ଟି ଓ୍ବାର୍ଡ ରେ ସମୁଦାୟ ୧୩୦୦ ଟି କେମିକାଲ ଆର୍ଥିଂ ର କରାଯାଇଥିବା ଦର୍ଶାଯାଇଥିଲେ ସୁଦ୍ଧା ବାସ୍ତବ କ୍ଷେତ୍ର ରେ ତାର ଟିଏ ମଧ୍ୟ ମାଟି ତଳୁ କୁ ଯାଇନାହିଁ , ଯାହାର ଭିଜୁଆଲ ଆମେ ଆମ ଚ୍ୟାନେଲ ମାଧ୍ୟମ ରେ ଦେଖାଉଛୁ । ଅନ୍ୟପକ୍ଷରେ ଆର୍ଥିଂ ନ କରି ବିଲ୍ କରିଥିବା ଠିକାସଂସ୍ଥା ଓ ସମ୍ପୃକ୍ତ ଅଧିକାରୀ ଙ୍କ ବିପକ୍ଷ ରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ  ଦାବୀ କରିଛନ୍ତି କଂଗ୍ରେସ ନେତା । ଏନେଇ କୈଣସି ବିଭାଗୀୟ ଅଧୀକାରୀ ମୁହଁ ଖୋଲି ନ ଥିଲେ ।

Get real time updates directly on you device, subscribe now.