fbpx
BJD
BJD SKY
BJD SKY

(Video) ଦୁନିଆକୁ ଦେଲେ ଶାଶ୍ୱତ ପ୍ରେମର ବାର୍ତ୍ତା, ପ୍ରେମ ଉଦ୍ଦେଶ୍ୟରେ ୬୦ ବର୍ଷ ପରେ ପୁଣି ଥରେ କଲେ ବିବାହ

କୁହାଯାଏ ପ୍ରେମ ଚିରନ୍ତନ, ପ୍ରେମ ଶାଶ୍ୱତ । ପ୍ରେମ ମାନେନି କୌଣସି ପ୍ରତିବନ୍ଧକ, ପ୍ରେମ ମାନେନି ବୟସ । ଏହିଭଳି ପ୍ରକୃତ ପ୍ରେମର ଉଦାହରଣ ଦେଖିବାକୁ ମିଳିଛି । ଯେଉଁଠାରେ ବିବାହର ୬୦ ବର୍ଷ ପରେ ପ୍ରେମ ପାଇଁ ପୁଣି ଥରେ ବିବାହ କରିଛନ୍ତି ବୃଦ୍ଧ ଦମ୍ପତ୍ତି । ବୟସର ଅପରାହ୍ନରେ ପୁଣି ବିଛାଡ଼ିଛନ୍ତି ପ୍ରେମର ଗୋଲାପି ରଙ୍ଗ । ଗୋଲାପର ପାଖୁଡ଼ାରେ ଲେଖିଛନ୍ତି ପ୍ରେମର ଆଉ ଏକ ସୁନ୍ଦର ଅଧ୍ୟାୟକୁ ।

ଜୀବନରେ ଆସିଛି କେତେ ବାଧା କେତେ ବିଘ୍ନ । ହେଲେ ଭାଙ୍ଗି ପାରିନି ଏ ସମ୍ପର୍କର ସେତୁକୁ । କଳି ଝଗଡ଼ା କରାଇଛି ସମ୍ପର୍କର ଶିକୁଳିକୁ ବଜ୍ର ପରି ଶକ୍ତ । ଆଉ ସେହି ପ୍ରେମ ଉଦ୍ଦେଶ୍ୟରେ ପୁଣି ଥରେ ବର କନିଆ ସାଜିଛନ୍ତି ଦମ୍ପତ୍ତି । ବର କନିଆ ବେଶରେ ସଜେଇ ହୋଇଛନ୍ତି ୬୦ ବର୍ଷର ବୃଦ୍ଦ ଦମ୍ପତ୍ତି । ଆଉ ପାଳୁଛନ୍ତି ବିବାହର ଗୋଲ୍ଡନେନ୍ ଜୁବୁଲି । ଏମିତି ଏକ ରୋମାଣ୍ଟିକ୍ ଦୃଶ୍ୟ ଦେଖିବାକୁ ମିଳିଛି ସ୍ମାର୍ଟସିଟି ରାଇକେଲାରେ ।

୧୯୬୩ ମସିହାରେ ସାଙ୍ଗ ସାଥୀ ବରଯାତ୍ରୀ ପାଲଟିଥିଲେ । ହେଲେ ୨୦୨୨ରେ ନାତି ନାତୁଣି ପୁଅ ବୋହୂ ପାଲଟିଛନ୍ତି ବର ଏବଂ କନିଆ ଯାତ୍ରୀ । ବର ଶିବ ସିଂଙ୍କର ବୟସ ୮୬ ହୋଇଥିବା ବେଳେ କନିଆ ଆଶା ସିଂଙ୍କର ବୟସ ୭୬ ବର୍ଷ ରହିଛି । ଏହି ବଦ୍ଧ ଦମ୍ପତ୍ତି ବାହାଘରର ୬୦ ବର୍ଷ ପରେ ପୁଣି ଥରେ ବାହା ହୋଇ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି । ଏହି ଦମ୍ପତ୍ତିଙ୍କର ରହିଛନ୍ତି ୫ଟି ସନ୍ତାନ । ପୁଅ ଝିଅ ନାତି ନାତୁଣି ମିଶି ମୋଟ ୧୬ ଜଣ ରହିଥିବା ବେଳେ ସମ୍ପୂର୍ଣ୍ଣ ରୀତିନୀତି ରେ ଏହି ବାହାଘର ସମ୍ପୂର୍ଣ୍ଣ ହୋଇଛି । ମଥାରେ ସିନ୍ଦୁର ପିନ୍ଧାଇ ଅଗ୍ନିକୁ ସାକ୍ଷି ରଖି ବରଣ ମାଳ ପିନ୍ଧାଇ ପୁଣି ଥରେ ବିବାହ କରିଛନ୍ତି । ବର କନିଆ ବେଶରେ ଦାଉ ଦାଉ ହୋଇ ଜଳୁଛନ୍ତି ବୃଦ୍ଧା ଦମ୍ପତି । ଏହି ବାହାଘରରେ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଓ ପାଖପଡ଼ିଶା ଯୋଗ ଦେଇଥିଲେ । ଭୋଜି ଭାତରେ ଜମି ଉଠିଥିଲା ପୁରା ପରିବେଶ ।

ସବୁଠାରୁ ବଡ଼ କଥା ଆଜିକା ସମୟରେ ଯେଉଁଠି ବୈବାହିକ ସଂପର୍କରେ ଅନେକ ତିକ୍ତତା ଦେଖାଯାଉଛି, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଉଛି । ସେହି ସମୟରେ ଘୃଣାର ସମାଜରେ ସମ୍ପର୍କର ଗୋଲାପି ଛିଟା ଛାଡ଼ିଛନ୍ତି ଏହି ବୃଦ୍ଧ ଦମ୍ପତ୍ତି । ବୟସର ଅପରାହ୍ନରେ ବି ସମ୍ପର୍କର ସିନ୍ଦୁରକୁ ଗାଢ଼ କରିଚାଲିଛନ୍ତି ।

Get real time updates directly on you device, subscribe now.