fbpx

କୋଭିଡ୍‌-୧୯ ସୁପର ମଡେଲ କମିଟିର ଆକଳନ: ଓମିକ୍ରନ୍‌ ଯୋଗୁଁ ଆସିପାରେ କରୋନାର ତୃତୀୟ ଲହର, ଫେବୃଆରୀରେ ଶୀର୍ଷରେ ପହଞ୍ଚିପାରେ ସଂକ୍ରମଣ

ନୂଆଦିଲ୍ଲୀ/ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କରୋନାର ନୂଆ ତଥା ମାରାତ୍ମକ ଭାରିଏଣ୍ଟ ଓମିକ୍ରନ୍‌ ଏବେ ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଦ୍ରୁତ ସଂକ୍ରମଣ ଆରମ୍ଭ କରିଦେଇଛି । ଖାସ୍‌କରି ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ତେବେ ଭାରତରେ ମଧ୍ୟ ଧୀରେ ଧୀରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଶନିବାର ମହାରାଷ୍ଟ୍ରରୁ ୮, କର୍ଣ୍ଣାଟକରୁ ୬ ଏବଂ କେରଳରୁ ୪ ଓମିକ୍ରୋନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ଏବେ ଶତକ ପାର କରି ଆଗକୁ ବଢ଼ି ଚାଲିଛି । ଏହାରି ମଧ୍ୟରେ ଦେଶର କୋଭିଡ୍‌ ୧୯ ସୁପର ମଡ଼େଲ୍‌ କମିଟିର ଆକଳନ ଏବେ ଭୟ ବଢ଼ାଇ ଦେଇଛି । ଏହି କମିଟି ଆଶଙ୍କା ବ୍ୟକ୍ତ କରିଛି ଯେ ଦେଶରେ ଓମିକ୍ରନ୍‌ ସଂକ୍ରମଣ ଫେବୃଆରୀ ମାସରେ ଶୀର୍ଷରେ ପହଞ୍ଚିପାରେ । ଏପରିକି ଓମିକ୍ରନ୍‌ ଯୋଗୁଁ ଦେଶରେ କରୋନାର ତୃତୀୟ ଲହର ଆସିପାରେ ବୋଲି ଆକଳନ କରାଯାଉଛି । ଏହାର ଅର୍ଥ ନୂଆବର୍ଷ ଆରମ୍ଭରୁ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପକ ଭାବରେ ବଢି ଚାଲିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି ଯେ, ଓମିକ୍ରନ୍‌ ସଂକ୍ରମଣ ଖୁବ ଜୋର୍‌ରେ ବ୍ୟାପି ଚାଲିଛି ଏବଂ ଦେଢରୁ ତିନି ଦିନ ମଧ୍ୟରେ ଦୁଇ ଗୁଣା ହେଉଛି । ସେପଟେ ବିଦେଶରେ ସ୍ଥିତି ମଧ୍ୟ ସଙ୍ଗୀନ ହେବାରେ ଲାଗିଛି । ୟୁରୋପୀୟ ରାଷ୍ଟ୍ରରେ କଟକଣା ବଢୁଛି । ଏଭଳି ସ୍ଥିତିରେ ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ କରିଥିବା ପୂର୍ବାନୁମାନ ଦେଶ ଏକ ବଡ ସଙ୍କଟକୁ ସାମ୍ନା କରିବାକୁ ଯାଉଥିବା ସଙ୍କେତ ଦେଉଛି । ଏ ନେଇ ସତର୍କ କରାଇଛନ୍ତି କୋଭିଡ-୧୯ ଟାସ୍କଫୋର୍ସ ମୁଖ୍ୟ ଡାକ୍ତର ଭିକେ ପଲ । ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ ସଂକ୍ରମଣର ହାରକୁ ଲକ୍ଷ୍ୟ କରି ସେ ଯେଉଁ ଆକଳନ କରିଛନ୍ତି, ତା’ଅନୁସାରେ ଭାରତରେ ଦୈନିକ ସଂକ୍ରମଣ ୧୪ ଲକ୍ଷ ହୋଇପାରେ ।ସେ କହିଛନ୍ତି ଯେ, ଏହି ଦୁଇ ଦେଶର ଲୋକସଂଖ୍ୟା ହିସାବରେ ଭାରତର ଲୋକସଂଖ୍ୟା ବହୁତ ଅଧିକ । ତେଣୁ ଭାରତରେ ସଂକ୍ରମଣ ମଧ୍ୟ ଅଧିକ ହେବ । ଏପରିକି ଦିନକୁ ୧୪ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ଚିହ୍ନଟ ହେବେ ବୋଲି ଡାକ୍ତର ପଲ୍‌ ପୂର୍ବାନୁମାନ କରିଛନ୍ତି ।

ଓଡ଼ିଶା ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ ,ଓମିକ୍ରନ ନିଶ୍ଚିତ ଭାବେ ଭାରତରେ ତୃତୀୟ ଲହର ଆସିବ । ଏଥିରେ କୌଣସି ସନ୍ଦେହ ନାହିଁ । ଯେଉଁ ଭଳି ଏହା ସଂକ୍ରମଣ କରୁଛି ତାହା ଚିନ୍ତାଜନକ । ଦକ୍ଷିଣ ଆଫ୍ରିକା, ୟୁକେ, ଡେନମାର୍କ ଓ ନରୱେରେ ଏହା କ୍ଷିପ୍ର ଗତିରେ ମାଡୁଛି । ଏହା ସମଗ୍ର ବିଶ୍ୱକୁ ବ୍ୟାପିବ । କେସ୍‌ ଲୋଡ୍‌ ବହୁତ ବଢ଼ିବ । ମାତ୍ର ସିଭିୟରିଟି ହେବ ନାହିଁ । ବିଦେଶ ଅନୁପାତରେ ଆମ ଦେଶରେ୨୦ରୁ ୨୫ ଲକ୍ଷ କେସ ଦୈନିକ ଆସିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ସେ କହିଛନ୍ତି ଯେ ଡ଼ିସେମ୍ବର ଶେଷ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା ସଂକ୍ରମଣ ପିକ୍‌ରେ ପହଞ୍ଚିପାରେ । ଓଡ଼ିଶାରେ ପାଖାପାଖି ୪୦ରୁ ୫୦ ହଜାର ଭିତରେ କେସ ଲୋଡ ରହିପାରେ ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ଚିହ୍ନଟ ହେବେ ସମସ୍ତେ ଲକ୍ଷଣବିହୀନ ହିଁ ଚିହ୍ନଟ ହେବେ । ଯେଉଁମାନେ ମାନଙ୍କର ଇମ୍ୟୁନିଟି କମ୍‌ ରହିଛି ସେମାନଙ୍କ କ୍ଷେତ୍ରରେ ସିଭିୟରିଟି ବଢ଼ିବ ।

ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ତୃତୀୟ ଲହର ମୁକାବିଲା ଲାଗି ପ୍ରସ୍ତୁତ ଅଛୁ । ଶ୍ରୀ ମିଶ୍ର କହିଛନ୍ତି ଯେ, ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆମର ପ୍ରସ୍ତୁତି ରହିଛି । ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ ରହିଛି । ତେଣୁ ଯାହା ସରକାରଙ୍କର ନିୟମାବଳୀ ରହିଛି, ଆନ୍ତର୍ଜାତିକ ଯାତ୍ରୀଙ୍କର ସର୍ଭେଲାନ୍ସ କରାଯିବା ସହ ସତର୍କତା ବଢା ଯାଇଛି । ଓମିକ୍ରନ ଚିହ୍ନଟ ପାଇଁ ଜିନମ ସିକ୍ୱେନ୍ସିଂ ଆବଶ୍ୟକ । ତେଣୁ ସିକ୍ୱେନ୍ସିଂ ପାଇଁ ଯାଉଥିବା ନମୁନା ସଂଖ୍ୟା ବଢାଇବାକୁ କୁହାଯାଇଥିବା ସେ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଏବେ ସୁଦ୍ଧା ରାଜ୍ୟକୁ ଆଟ୍‌ ରିସ୍କ ଦେଶଗୁଡ଼ିକରୁ ୧୫ ଶହରୁ ଅଧିକ ଲୋକ ଆସିଲେଣି । ଯାହା ତଥ୍ୟ ଅଛି, ଓମିକ୍ରର ଲକ୍ଷଣ ପୂର୍ବ ଭଳି ପ୍ରାୟ ସମାନ । ଦ୍ୱିତୀୟ ଲହରରେ ଯେଉଁ ଟ୍ରିଟମେଣ୍ଟ ଥିଲା, ଏବେ ବି ତାହା ରହିଛି । ଓମିକ୍ରନ ଯୋଗୁ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତାକୁ ସମ୍ଭାଳିବା ଲାଗି ଆମର କ୍ଷମତା ରହିଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ରୋଗୀ ସଂଖ୍ୟା ବୃଦ୍ଧି ସହ ତାଳ ଦେଇ ଭିତ୍ତିଭୂମି ବଢ଼ାଯିବ । ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ, ଜରୁରୀ ଔଷଧ ମହଜୁଦ ରଖାଯାଉଛି । ନିୟମିତ ଏହାର ତର୍ଜମା କରାଯାଉଛି ଓ ପ୍ରସ୍ତୁତି ଚାଲିଛି । ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ, ଘରୋଇ ହସ୍ପିଟାଲରେ ସ୍ୱତନ୍ତ୍ର ଓମିକ୍ରନ ବ୍ଲକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

Get real time updates directly on you device, subscribe now.