fbpx

ଗାଈ ଫସଲ ଖାଇବାକୁ କେନ୍ଦ୍ର କରି ବୀଭତ୍ସ ହତ୍ୟାକାଣ୍ଡ: ଭଗବାନଙ୍କ ଠେଙ୍ଗା ମାଡ଼ରେ ଟଳିପଡ଼ିଲେ ପାଣ୍ଡବ

Advertisement

ବେଲଗୁଣ୍ଠା(ଓଡ଼ିଶା ଭାସ୍କର): ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମରେ ଜୈନିକ ଚାଷୀଙ୍କ ଜମିର ଫସଲକୁ ସେହି ଗ୍ରାମର ଅନ୍ୟଜଣେ ବ୍ୟକ୍ତିଙ୍କ ଗାଈ ଖାଇ ଦେବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ଓ ଶେଷରେ ଅଭୁଯୁକ୍ତଙ୍କ ଠେଙ୍ଗା ମାଡ଼ରେ କ୍ଷତିଗ୍ରସ୍ତ କୃଷକଙ୍କ ଜୀବନ ଚାଲିଯିବା ଭଳି ଘଟଣା ସମଗ୍ର ଅଞ୍ଚଳରେ ଚହକ ସୃଷ୍ଟିକରିଛି ।

ପ୍ରାପ୍ତ ସୂଚନା ଅନୁଯାଇ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମର ପାଣ୍ଡବ ସ୍ୱାଇଁଙ୍କ ଚାଷ ଜମିରେ ଲାଗିଥିବା ଫସଲକୁ ସେହିଗ୍ରାମର ଭଗବାନ ଗୌଡ଼ଙ୍କ ଗାଈ ଖାଇଦେଇ ଥିଲା । ଏହାକୁ କେନ୍ଦ୍ର କରି ପାଣ୍ଡବ ବହୁବାର ତାଗିଦ କରିବା ପରେ ମଧ୍ୟ ଭଗବାନ ଗାଈ ଫସଲ ଖାଇବା ଘଟଣାକୁ କର୍ଣ୍ଣପାତ କରି ନ ଥିଲେ । ସୋମବାର ଦିନ ପୁଣି ଭଗବାନଙ୍କ ଗାଈ ପାଣ୍ଡବଙ୍କ ଜମିର ଫସଲ ନଷ୍ଟ କରିବା ଘଟଣାକୁ ନେଇ ସନ୍ଧ୍ୟା ୬ଟା ସମୟରେ ଭଗବାନଙ୍କ ଓ ପାଣ୍ଡବଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତଥାପି ଭଗବାନ କୁଆଡେ ଘଟଣାକୁ ଖାତିର କରି ନ ଥିଲେ ।

ମଙ୍ଗଳବାର ଦିନ ସକାଳୁ ପୁଣି ଭଗବାନଙ୍କ ଗାଈ ପାଣ୍ଡବଙ୍କ ଫସଲ ହୋଇଥିବା ଜମିରେ ଚରୁଥିବା ବେଳେ ପାଣ୍ଡବ ଏହାକୁ ଦେଖି ଭଗବାନଙ୍କ ଘର ନିକଟକୁ ଯାଇ ହୋହଲ୍ଲା କରି ଏ ସମ୍ପର୍କରେ ଭଗବାନଙ୍କୁ ପଚାରିଥିଲେ । ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୁକ୍ତ ଭଗବାନ ଘରର ଏକ ଷ୍ଟିଲ ପାତ୍ର ସାହାଯ୍ୟରେ ପାଣ୍ଡବଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଓ ଏଥିରେ ପାଣ୍ଡବଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା। ଏହାକୁ ଦେଖି ପାଣ୍ଡବଙ୍କ ପୁଅ ଚନ୍ଦ୍ରଶେଖର ସ୍ୱାଇଁ ଓ ଭାଇ ସୁବାସ ସ୍ୱାଇଁ ଘଟଣାସ୍ଥଳକୁ ଆସିଥିଲେ । ଏହାକୁ ଦେଖି ଭଗବାନ ଘର ଭିତରକୁ ଚାଲିଯାଇ ଏକ ଠେଙ୍ଗା ଆଣି ଠେଙ୍ଗା ସାହାଯ୍ୟରେ ସୁବାସ ଓ ଚନ୍ଦ୍ରଶେଖରଙ୍କୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ପାଣ୍ଡବ ଘଟଣାକୁ ଶାନ୍ତ କରିବା ପାଇଁ ଏମାନଙ୍କ ମଧ୍ୟକୁ ଚାଲି ଆସିଥିଲେ । ଫଳରେ ଠେଙ୍ଗାଟି ପାଣ୍ଡବଙ୍କ ଛାତି ଉପରେ ମାଡ଼ ହୋଇଥିଲା । ଫଳରେ ଘଟଣାସ୍ଥଳରେ ପାଣ୍ଡବ(୫୮) ଚେତାଶୂନ୍ୟ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ପାଣ୍ଡବଙ୍କ ଚିକିତ୍ସା ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ପାଣ୍ଡବଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସମ୍ପର୍କରେ ଅବଗତ ହେବା ପରେ ବେଲଗୁଣ୍ଠା ପୋଲିସ ହସ୍ପିଟାଲରେ ପହଞ୍ଚି ପାଣ୍ଡବଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଥିଲେ । ବେଲଗୁଙଋା ଥାନାରେ ୧୧୩/୨୧ରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ ଓ ୩୪ ପ୍ରକାରେ ଏକ ମକଦମା ରୁଜୁକରି ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଶବ ବ୍ୟବଛେଦ ପରେ ଶବକୁ ପାଣ୍ଡବଙ୍କ ପୁଅକୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତ ଭଗବାନଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.