ୟୁଡିଆଇଏସଇ ପ୍ଲସର ବିଶ୍ୱସନୀୟତା ଏବଂ ଓଡ଼ିଶାରେ ପିଲାମାନଙ୍କର ସ୍କୁଲ ପାଠପଢ଼ା ଛାଡ଼ିବା ପ୍ରସଙ୍ଗ, ସ୍ପଷ୍ଟୀକରଣ ଦେଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁଡିଆଇଏସଇ ପ୍ଲସର ବିଶ୍ୱସନୀୟତା ଏବଂ ଓଡ଼ିଶାରେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପିଲାମାନଙ୍କର ସ୍କୁଲ ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି । ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରରୁ ଶିକ୍ଷା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି ଯେ, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିକଟରେ ରାଜ୍ୟ ବିଧାନସଭାରେ ଓଡ଼ିଶାର ପିଲାମାନଙ୍କର ସ୍କୁଲ ଡ୍ରପ୍ଆଉଟ୍ ବା ପାଠପଢ଼ା ଛାଡ଼ିବାର ଉଚ୍ଚ ହାର ସମ୍ପର୍କରେ ବିବୃତି ରଖିଥିଲେ । ଏଥିରେ ସେ ଓଡ଼ିଶାରେ ୨୭.୩% ସ୍କୁଲ ଡ୍ରପଆଉଟ୍ ହାରକୁ ଖଣ୍ଡନ କରିବା ସହିତ ୟୁଡିଆଇଏସଇ ପ୍ଲସ ରିପୋର୍ଟ ଭରସାଯୋଗ୍ୟ ଏବଂ ବିଶ୍ୱସନୀୟ ନୁହେଁ ବୋଲି ଦର୍ଶାଇଥିଲେ।
ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶିକ୍ଷା ପାଇଁ ଏକୀକୃତ ଜିଲ୍ଲା ସୂଚନା ପ୍ରଣାଳୀ ବା ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫର୍ମେସନ ସିଷ୍ଟମ ଫର ଏଜୁକେସନ ପ୍ଲସ (ୟୁଡିଆଇଏସଇ ପ୍ଲସ) ତଥ୍ୟ କେବଳ ଭରସାଯୋଗ୍ୟ ନୁହେଁ ବରଂ ଦେଶରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକମାତ୍ର ସର୍ବଭାରତୀୟ ଓ ସବୁଠୁ ବିଶ୍ୱସନୀୟ ଡେଟାବେସ । ୟୁଡିଆଇଏସଇ ପ୍ଲସ ହେଉଛି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ୟତମ ସର୍ବବୃହତ ସୂଚନା ପରିଚାଳନା ବ୍ୟବସ୍ଥା । ଏହି ଡେଟାବେସରେ ୧୪.୮୯ ଲକ୍ଷରୁ ଅଧିକ ବିଦ୍ୟାଳୟ, ୯୫ ଲକ୍ଷ ଶିକ୍ଷକଶିକ୍ଷୟିତ୍ରୀ ଏବଂ ୨୬ କୋଟି ୫୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ସବୁ ରାଜ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ତଥ୍ୟ ସଂକଳନ ପ୍ରସ୍ତୁତ କରିଥାନ୍ତି ଏବଂ ଏହା ବ୍ଲକ/କ୍ଲଷ୍ଟରସ୍ତରୀୟ, ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ, ଏହିପରି ତ୍ରିସ୍ତରୀୟ ପ୍ରାମାଣିକରଣ/ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିଥାଏ। ଶେଷରେ ରାଜ୍ୟ ସ୍ତରରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଏସପିଡି)ଙ୍କ ଦ୍ୱାରା ଏହି ତଥ୍ୟକୁ ଚୁଡ଼ାନ୍ତ ପ୍ରମାଣିତ କରାଯାଇଥାଏ। ସମ୍ପୃକ୍ତ ରାଜ୍ୟର ଏସପିଡିଙ୍କ ଦ୍ୱାରା ଥରେ ପ୍ରମାଣିତ ହେବା ପରେ ଏହି ତଥ୍ୟକୁ ରାଜ୍ୟ ଦ୍ୱାରା ଅନୁମୋଦିତ ହେଲା ବୋଲି ଧରାଯାଏ। ତେଣୁ, ସମ୍ପୃକ୍ତ ରାଜ୍ୟ ଦ୍ୱାରା ହିଁ ନିଜ ଆଡ଼ୁ ୟୁଡିଆଇଏସଇ+ ପୋର୍ଟାଲରେ ତଥ୍ୟ ପ୍ରଦାନ କରାଯାଇଛି ।
ଦେଶରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ‘ଏକ ରାଷ୍ଟ୍ର ଏକ ଡେଟା ବେସ’ ଭାବେ ୟୁଡିଆଇଏସଇ+ କାର୍ଯ୍ୟ କରିଥାଏ। ଦେଶରେ ଥିବା ସବୁ ମାନ୍ୟତାପ୍ରାପ୍ତ ବିଦ୍ୟାଳୟରେ ବିଦ୍ୟାଳୟ, ଶିକ୍ଷକଶିକ୍ଷୟିତ୍ରୀ, ନାମଲେଖା, ଭିତ୍ତିଭୂମି ସଂକ୍ରାନ୍ତରେ ତଥ୍ୟ ରେକର୍ଡ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁଡିଆଇଏସଇ ପ୍ଲସ ଅନଲାଇନ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ୟୁଡିଆଇଏସଇ ପ୍ଲସରେ ତଥ୍ୟ ସଂଗ୍ରହ ଢାଞ୍ଚା ବା ଡେଟା କେପ୍ଚର ଫର୍ମାଟ (ଡିସିଏଫ) ଜରିଆରେ ବିଦ୍ୟାଳୟ ୱାରୀ ତଥ୍ୟ ସଂଗ୍ରହ କରାଯାଇଥାଏ। ସବୁ ବିଦ୍ୟାଳୟକୁ ଲଗ ଇନ୍ ଆଇଡି ଓ ପାସୱର୍ଡ ଦିଆଯାଇଛି ଯାହାଫଳରେ ସମ୍ପୃକ୍ତ ବିଦ୍ୟାଳୟ ନିଜେ ସଂକଳିତ କରିଥିବା ତଥ୍ୟକୁ ଅନଲାଇନ ମାଧ୍ୟମରେ ଅପଲୋଡ୍ କରିପାରିବେ ।
ୟୁଡିଆଇଏସଇ ପ୍ଲସ ୨୦୨୦-୨୧ର ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ମୋଟ୍ ୨୧.୪୨ ଲକ୍ଷ ଛାତ୍ରଛାତ୍ରୀ ଥିବା ବେଳେ ମାଧ୍ୟମିକ ସ୍ତରରେ ୧୩.୨୫ ଲକ୍ଷ ଛାତ୍ରଛାତ୍ରୀ ଥିଲେ । ଅନୁରୂପ ଭାବେ ୨୦୨୧-୨୨ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ମୋଟ୍ ୨୦.୭୨ ଲକ୍ଷ ଛାତ୍ରଛାତ୍ରୀ ଏବଂ ମାଧ୍ୟମିକ ସ୍ତରରେ ୧୨.୪୬ ଲକ୍ଷ ଛାତ୍ରଛାତ୍ରୀ ଥିଲେ । ତେଣୁ ଓଡ଼ିଶାରେ ଉଭୟ ସ୍ତରରେ ଛାତ୍ରଛାତ୍ରୀଙ୍କ ନାମଲେଖା ହ୍ରାସ ପାଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।
ୟୁଡିଆଇଏସଇ ପ୍ଲସ ପୋର୍ଟାଲରେ ଓଡ଼ିଶା ସରକାରଙ୍କ ଦ୍ୱାରା ରିପୋର୍ଟ କରାଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୦-୨୧ ଏବଂ ୨୦୨୧-୨୨ରେ ଶ୍ରେଣୀୱାରୀ ନାମଲେଖା ବିବରଣୀ ନିମ୍ନରେ ଦିଆଗଲା :
- ୨୦୨୦-୨୧, ଅଷ୍ଟମ ଶ୍ରେଣୀରେ ୭.୫୮ ଲକ୍ଷ ଛାତ୍ରଛାତ୍ରୀ ଥିଲେ, ଏମାନଙ୍କ ମଧ୍ୟରୁ ମାତ୍ର ୬.୨୭ ଲକ୍ଷ ଛାତ୍ରଛାତ୍ରୀ ୨୦୨୧-୨୨ରେ ନବମ ଶ୍ରେଣୀକୁ ଯାଇଥିଲେ । ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧.୩୨ ଲକ୍ଷ ବା ୧୭.୩% ହ୍ରାସ ପାଇଥିଲା।
- ୨୦୨୦-୨୧ରେ ନବମ ଶ୍ରେଣୀରେ ୬.୪୦ ଲକ୍ଷ ଛାତ୍ରଛାତ୍ରୀ ଥିଲେ, ଏମାନଙ୍କ ମଧ୍ୟରୁ ୨୦୨୧-୨୨ରେ କେବଳ ୬.୧୯ ଲକ୍ଷ ଛାତ୍ରଛାତ୍ରୀ ଦଶମ ଶ୍ରେଣୀକୁ ଯାଇଥିଲେ ଏବଂ ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୦.୨ ଲକ୍ଷ ବା ୩.୧% ହ୍ରାସ ପାଇଥିଲା।
- iii. ୨୦୨୦-୨୧ରେ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬.୮୬ ଲକ୍ଷ ଥିଲା, ଏମାନଙ୍କ ମଧ୍ୟରୁ ୨୦୨୧-୨୨ରେ କେବଳ ୩.୪୩ ଲକ୍ଷ ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀକୁ ଯାଇଥିଲେ ଏବଂ ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩.୪୨ ଲକ୍ଷ ବା ୪୯.୯% ହ୍ରାସ ପାଇଥିଲା।
- iv. ୨୦୨୦-୨୧ରେ ଏକାଦଶ ଶ୍ରେଣୀରେ ମୋଟ୍ ୩.୬୬ ଲକ୍ଷ ଛାତ୍ରଛାତ୍ରୀ ଥିଲେ, ଏମାନଙ୍କ ମଧ୍ୟରୁ ୨୦୨୧-୨୨ରେ ମାତ୍ର ୩.୪୬ ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀକୁ ଯାଇଥିଲେ ଏବଂ ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୦.୧୯ ଲକ୍ଷ ବା ୫.୨% ହ୍ରାସ ପାଇଥିଲା।
ତେଣୁ ୟୁଡିଆଇଏସଇ ପ୍ଲସ ତଥ୍ୟରୁ ଏହା ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ଛାତ୍ରଛାତ୍ରୀଙ୍କ ନାମଲେଖା ଏବଂ ଅଷ୍ଟମରୁ ନବମ ଶ୍ରେଣୀ, ନବମରୁ ଦଶମ ଶ୍ରେଣୀ, ଦଶମରୁ ଏକାଦଶ ଶ୍ରେଣୀ ଓ ଏକାଦଶରୁ ଦ୍ୱାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ନିରନ୍ତର ଭାବେ ହ୍ରାସ ପାଉଛି । ଉଚ୍ଚ ପ୍ରାଥମିକ ଠାରୁ ଆରମ୍ଭ କରି ମାଧ୍ୟମିକ ଏବଂ ପରେ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ୁଥିବା ବା ଡ୍ରପଆଉଟ୍ ହେଉଥିବାର ଏଥିରୁ ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି ।
୨୦୨୧-୨୨ର ୟୁଡିଆଇଏସଇ ପ୍ଲସ୍ ତଥ୍ୟରେ ମଧ୍ୟ ଦର୍ଶାଯାଇଛି ଯେ ଓଡ଼ିଶାରେ ଉଚ୍ଚ ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ୍ ବା ପାଠପଢ଼ା ଛାଡ଼ିବା ହାର ୭.୩% ଏବଂ ମାଧ୍ୟମିକ ସ୍ତରରେ ୨୭.୩ ପ୍ରତିଶତ ରହିଛି । ଅନ୍ୟପଟେ ଜାତୀୟ ସ୍ତରରେ ଏହା ଯଥାକ୍ରମେ ୩% ଏବଂ ୧୨.୬% ରହିଛି । ଆହୁରି ଉଚ୍ଚ ପ୍ରାଥମିକ ସ୍ତରରେ ଝିଅମାନଙ୍କ ଡ୍ରପଆଉଟ୍ ହାର ୬.୫% ଏବଂ ମାଧ୍ୟମିକ ସ୍ତରରେ ୨୫ ପ୍ରତିଶତ ରହିଛି । ଅନ୍ୟପଟେ ଜାତୀୟ ସ୍ତରରେ ଏହି ଦୁଇଟି ହାର ଯଥାକ୍ରମେ ୩.୩% ଏବଂ ୧୨.୩% ରହିଛି ।
ଏଠାରେ ସୂଚନାଯୋଗ୍ୟ, ୨୦୨୧-୨୨ର ୟୁଡିଆଇଏସଇ ପ୍ଲସ ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତର ପ୍ରଦେଶରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ୍ ହାର ଉଚ୍ଚ ପ୍ରାଥମିକ ସ୍ତରରେ ୨.୯% ଏବଂ ମାଧ୍ୟମିକ ସ୍ତରରେ ୯.୭% ପ୍ରତିଶତ ରହିଛି ।