fbpx

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖୁଥିଲେ ସାବଧାନ: କାମ କରୁଛି କ୍ରାଇମବ୍ରାଞ୍ଚର ୨୪ ଘଣ୍ଟିଆ ଟିମ୍, ମୋବାଇଲକୁ ଟ୍ରାକ୍ କରି କରାଯିବ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ଇଣ୍ଟରନେଟ୍ ଜମାନାରେ ଅଧିକାଂଶ ଯୁବପୀଢ଼ିଙ୍କର କିଛି ଖରାପ ଅଭ୍ୟାସ ରହିଥାଏ । ତେବେ ସେଥି ମଧ୍ୟରୁ ଗୋଟିଏ କୁଅଭ୍ୟାସ ହେଉଛି ଅନଲାଇନରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି (ଶିଶୁ ଯୌନ ଶୋଷଣ) ଦେଖିବା । ଆପଣଙ୍କର ଯଦି ଏପରି ଖରାପ ଅଭ୍ୟାସ ରହିଛି ତେବେ ଆଜିଠୁ ସୁଧୁରି ଯାଆନ୍ତୁ । ଏଥିପାଇଁ କ୍ରାଇମବ୍ରାଞ୍ଚର ଏକ ୨୪ ଘଣ୍ଟିଆ ଟିମ୍ କାମ କରୁଛି । ଯେଉଁମାନେ ଅଧିକାଂସ ସମୟ ଚାଇଲ୍ଡ ପର୍ଣ୍ଣ ୱେବସାଇଟ୍ ଦେଖୁଥିବେ, ସେମାନଙ୍କୁ ଅନଲାଇନ୍ ଚାଇଲ୍ଡ ଆବ୍ୟୁଜ୍ ମନିଟିରିଂ ସିଷ୍ଟମ ସହଯୋଗରେ ଗିରଫ କରାଯିବ ।

ଆପଣ କେଉଁ ସାଇଟକୁ ଯାଉଛନ୍ତି ଆଉ କ’ଣ ସବୁ ଦେଖୁଛନ୍ତି ତା’ ଉପରେ ତୀକ୍ଷ୍ଣ ନଜର ରଖିଛି କ୍ରାଇମବ୍ରାଞ୍ଚ ପୋଲିସ । ପର୍ଣ୍ଣ ସାଇଟ୍ ଖୋଲିବା ମାତ୍ରେ ଆପଣଙ୍କ ମୋବାଇଲକୁ ଅନଲାଇନରେ ଟ୍ରାକ୍ କରି ଆପଣଙ୍କ ଘରେ ପୋଲିସ ପହଞ୍ଚିଯିବ । ଏହା ଆପଣଙ୍କୁ ଅଡ଼ୁଆ ଲାଗୁଥାଇପାରେ, ମାତ୍ର କଥାଟି ସତ । କିଛି ମାସ ପୂର୍ବରୁ ବଲିଉଡ ଅଭିନେତ୍ରୀ ଶିଳ୍ପ ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଲୀଳ ଫିଲ୍ମ ଶୁଟିଂ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଥିଲା । ସେହି ଘଟଣା ପରେ ସାରା ଦେଶଷର ଚାଲିଥିବା ଅନଲାଇନ୍ ଶିଶୁ ଯୌନ ଶୋଷଣ ନେଟୱାର୍କର ସୁରାକ ମିଳିଥିଲା ।

ଉକ୍ତ ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶା ସମେତ ୧୪ଟି ରାଜ୍ୟର ୭୭ଟି ସ୍ଥାନରେ ୮୩ ଜଣ ସନ୍ଦିଗ୍ଧଙ୍କ ଘରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସେହି ସମୟରେ ଓଡ଼ିଶାରୁ ୭ ଜଣଙ୍କୁ ଗିରଫ କରାଯାଇଥିଲା । ପାଖାପାଖି ୧୦୦ଟି ଦେଶରେ ଏହି ଯୋନ କାରବାରର ନେଟୱାର୍କ ରହିଥିବା ସିବିଆଇ ଜାଣିପାରିଥିଲା । ସାମାଜିକ ଗଣମାଧ୍ୟମର ବହୁଳ ପ୍ରସାର କାରଣରୁ ଶିଶୁଙ୍କ ବିରୋଧରେ ଏହି ସାଇବର ଅପରାଧ ମୁଣ୍ଡ ଟେକିଥିଲା । ତେଣୁ ବଡ଼ ବଡ଼ ରାକେଟ ଉପରେ ଲଗାମ୍ ଲଗାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ପ୍ରୟାସ ଆରମ୍ଭ କରାଯାଇଥିଲା ।

ଇଣ୍ଡିଆନ୍ ସାଇବର କ୍ରାଇମ୍ କୋର୍ଡିନେସନ ସେଣ୍ଟର (ଆଇ୪ସି) ଚାଇଲ୍ଡ ପର୍ଣ୍ଣୋଗ୍ରାଫି ରୋକିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହିତ ପ୍ରଥମ ପର୍ଯ୍ୟାୟରେ ସମସ୍ତ ରାଜ୍ୟରେ ଏହି ସବୁ ମାମଲା ଉପରେ ନଜର ରିବାକୁ ଡାଟାବେସ୍ ତିଆରି କରାଯାଇଥିଲା । ଆଇ୪ସି ସହିତ ବିଭିନ୍ନ ରାଜ୍ୟର କ୍ରାଇମବ୍ରାଞ୍ଚ ପାଖରେ ଥିବା ଅନଲାଇନ୍ ଚାଇଲ୍ଡ ଆବ୍ୟୁଜ୍ ମନିଟରିଂ ସିଷ୍ଟମ ଯୋଡ଼ି ହୋଇଥିଲା । ତାହାଦ୍ୱାରା କେଉଁମାନେ ଅନଲାଇନରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖୁଥିବେ ତାହା ଅତି ସହଜରେ ଜଣାପଡ଼ିଯିବ । କୌଣସି ବ୍ୟକ୍ତି ଶିଶୁଙ୍କ ଅଶ୍ଲୀଳ ଭିଡିଓ ଦେଖୁଥିଲେ ଆଇ୪ସି ତାଙ୍କୁ ସହଜରେ ଠାବ କରିପାରିବ । ଭିଡିଓ କେଉଁଠି ଚାଲିଛି, ସେ କେଉଁ ନେଟୱାର୍କ ବ୍ୟବହାର କରୁଛନ୍ତି ତା’ର ସନ୍ଧାନ କରି ସଙ୍ଗେସଙ୍ଗେ କ୍ରାଇବ୍ରାଞ୍ଚକୁ ଅବଗତ କରାଇବେ । କ୍ରାଇବ୍ରାଞ୍ଚ ଚାଇଲ୍ଡ ଆବ୍ୟୁଜ୍ ମନିଟରିଂ ସିଷ୍ଟମରେ ବସିଥିବା କର୍ମଚାରୀମାନେ ଚାଇଲ୍ଡ ପର୍ଣ୍ଣ ଦେଖୁଥିବା ବ୍ୟକ୍ତିଙ୍କୁ ଅନଲାଇନ ମାଧ୍ୟମରେ ସତର୍କ କରାଇବେ । ଏହାପରେ ଯଦି ସେ ନ ମାନନ୍ତି ବା ଭିଡିଓ ଡାଉନଲୋଡ୍ କରନ୍ତି ତେବେ ତାଙ୍କ ଫୋନର ଅନ୍ତର୍ଜାତୀୟ ମୋବାଇଲ ଉପକରଣ ପରିଚୟ (ଆଇଏମଇଆଇ)କୁ ପୋଲିସ ବ୍ଲକ କରିଦେବ । ଫଳରେ କମ୍ପ୍ୟୁଟର ଓ ମୋବାଇଲ ସମ୍ପୂର୍ଣ୍ଣ ଅଚଳ ହୋଇଯିବ । ସୂଚନାଯୋଗ୍ୟ ଯେ, ୨୦୧୯ ଅପେକ୍ଷା ୨୦୨୨ରେ ଶିଶୁ ବିରୋଧୀ ସାଇବର ଅପରାଧ ହାର ୭ ଶହତ ପ୍ରତିଶତ ବୃଦ୍ଧି ପାଇଥିଲା ।

Get real time updates directly on you device, subscribe now.