ଓଡିଶା ଭାସ୍କର- ବୋହୂଙ୍କୁ ଟିକ୍କା ଟିପ୍ପଣୀ, ସମାଲୋଚନା, ଆକ୍ଷେପ ଏକ ସାଧାରଣ ଘଟଣା ବୋଲି ଭାବୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ । ନୋହିଲେ ଘରୋଇ ହିଂସା ଆଇନ ଅଧୀନ ଭୋଗିବାକୁ ପଡିବ ଜେଲ ଦଣ୍ଡ । କେରଳ ହାଇକୋର୍ଟଙ୍କ ଏକ ରାଏ ଏହା ସ୍ପଷ୍ଟ କରିଛି । ସାଧାରଣତଃ ଶାଶୂ ଘରେ ବୋହୂର ଚଳଣି, ବେଶ ପୋଷାକ, ଶିକ୍ଷାଗତ ଯୋଗ୍ୟତା ଉପରେ ଟିପ୍ପଣୀ ଦିଆଯାଇଥାଏ । କେରଳ ହାଇକୋର୍ଟକୁ ଏମିତି ଏକ ମାମଲା ଆସିଥିଲା । କୋର୍ଟ ମାମଲାର ଶୁଣାଣି କରି ଏହାକୁ ଘରୋଇ ହିଂସା ବୋଲି କହିଛନ୍ତି ।
କନ୍ନୁରର କୋଥୁପାରମ୍ବା ଥାନାରେ ଜଣେ ମହିଳା ତାଙ୍କ ବଡ ଯାଆଙ୍କ ବିରୋଧରେ ଏମିତି ଅଭିଯୋଗ କରିଥିଲେ । ପୋଲିସ ଏହାକୁ ଧାରା ୪୯୮-ଏ ଅନ୍ତର୍ଗତ ଦାୟର କଲେ । ତେବେ ବଡ ଯାଆ ଏହାକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରିଥିଲେ କି, ଏପରି କହିବା ଘରୋଇ ହିଂସା ଅଧୀନରେ ଆସୁନାହିଁ । ତେଣୁ ତାଙ୍କ ବିରୋଧରେ ଥିବା ମାମଲା ରଦ୍ଦ କରାଯାଉ । କିନ୍ତୁ କୋର୍ଟ ମାମଲାରେ ବଡ ଯାଆଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ଏପରି କରିବା ଦ୍ୱାରା ବୋହୂ ମାନସିକ ଭାବେ ଆଘାତ ପାଇଥାଏ ।
ଘଟଣାଟି ଏମିତି ଥିଲା । କେରଳର ଏହି ପରିବାରର ସାନ ବୋହୂର ମେଡିକାଲ ଡିଗ୍ରୀକୁ ନେଇ ସ୍ୱାମୀ, ବଡ ଯାଆ, ଦେଢଶୁର ଓ ଶାଶୂ ଟିକ୍କ ଟିପଣୀ କରୁଥିଲେ । ଏଥିସହିତ ତାଙ୍କ ଶାରୀରିକ ଗଠନ, ପୋଷାକ ପିନ୍ଧାକୁ ନେଇ ସମାଲୋଚନା କରୁଥିଲେ । ଯାହାକୁ ବିରୋଧ କରି ମହିଳା ଏମାନଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଥିଲେ ।
କେରଳ ହାଇକୋର୍ଟର ଜଷ୍ଟିସ ଏ ବଦ୍ଦାରୁଦ୍ଦିନଙ୍କ କୋର୍ଟ ଏହାକୁ ଘରୋଇ ହିଂସା କହିବା ସହ ଏମାନଙ୍କ ବିରୋଧରେ ମାମଲା ଦାୟର କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି କରିବା ଦ୍ୱାରା ମହିଳାଙ୍କ ମନୋବଳ ହ୍ରାସ ହେବା ସହ ତାଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି ।