ଭୁବନେଶ୍ବର(ଓଡିଶା ଭାସ୍କର): ଦିନକୁ ଦିନ ବିଭିନ୍ନ ଜିଲ୍ଲାରେ କୁମ୍ଭୀର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସ୍ଥାନକେ ଲୋକଙ୍କର ଅଜାଣତରେ ଜୀବନ ମଧ୍ୟ ଯାଉଛି । ଏଭଳି ଏକ ଖବର କେନ୍ଦ୍ରାପଡାରୁ ଆସିଛି । କୁମ୍ଭୀର ଆଖିକୁ ଖୋବି ଜୀବନ ବଞ୍ଚାଇଦେଇଛନ୍ତି ଯୁବକଜଣକ । ତେବେ କୁମ୍ଭୀର ନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ବେଳେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଯୁବକଙ୍କୁ ପାଣି ଭିତରକୁ ଟାଣି ନେଇଯାଇଥିଲା କୁମ୍ଭୀର । ଗୋଡକୁ ଛାଡୁନଥିବା ବେଳେ ଆଖିକୁ ଖୋବି ଦେଇଥିଲେ ଯୁବକଜଣକ । କୁମ୍ଭୀର ମୁହଁକୁ ଗୋଇଠା ମାରି ନିଜର ଜୀବନକୁ ବଞ୍ଚାଇଲେ । କମ୍ଭୀରକୁ ପାଣି ଭିତରେ ହରାଇ ଦେଇଛନ୍ତି ଯୁବକ ଜଣକ । ପାଣି ଭିତରେ ମୃତ୍ୟୁ ସହ ସଂଘର୍ଷ କରିଥିଲେ । ଯୁବକ ଜଣକ ନିଜର ସାହାସ ଯୁଟାଇ ଆଜି ନୂଆ ଜୀବନ ପାଇଛନ୍ତି । କୁମ୍ଭୀର ଆଖିକୁ ଖୋବି ଗୋଇଠା ମାରି ମୃତ୍ୟୁ ମୁହଁରୁ ଖସି ଆସିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ରାମଚଣ୍ଡୀ ଗଳିଆ ନଦୀରେ ଦେଖିବାକୁ ମିଳିଥିଲା ଏହି ଘଟଣା । ତେବେ ଯୁବକଜଣକ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ରହିଛି ।
ସୂଚନା ମୁତାବିକ ଲୁଣିମାଠିଆ ଗାଁର ଦିପୁ ଆହାଡ଼ି ସକାଳୁ ସକାଳୁ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ନଦୀରେ କୁମ୍ଭୀର ଥିବା ଜାଣନପାରି ସେ ଗାଧୋଉଥିଲେ । ଏହି ସମୟରେ କୁମ୍ଭୀର ଆସି ତାଙ୍କ ପେଣ୍ଡାକୁ ଧରି ଟାଣିଥିଲା । ଫଳରେ ସେ ପାଣିରେ ବୁଡ଼ିଯାଇଥିଲେ । ଏହା ପରେ ସେ ଛାଟି ପିଟି ହୋଇ କୁମ୍ଭୀରକୁ ଆଖିକୁ ଖୋବି ମୁହଁକୁ ଗୋଇଠା ମାରି ଚାଲି ଆସିଲେ ବୋଲି କହିଛନ୍ତି । କୂଳକୁ ଆସିଲା ପରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ତାଙ୍କ ପେଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ୨୦ଟି ଷ୍ଟିଚ୍ ପଡିଥିବା ଜଣାପଡିଛି ।