ଯେଉଁଠାରେ ୪୦ ଯବାନ ସହିଦ ହୋଇଥିଲେ, ସେଉଁଠାରେ ବଢ଼ିବ CRPFର ଶକ୍ତି: ସରକାର ଦେଲେ ଅନୁମତି

ଶ୍ରୀନଗର/ଜମ୍ମୁ: ଜମ୍ମୁ-କଶ୍ମୀରରେ ଆଇନ ଶୃଙ୍ଖଳା ରକ୍ଷା ଏବଂ ଆତଙ୍କବାଦ ନିର୍ମୂଳ ଅଭିଯାନରେ ଜମ୍ମୁ-କଶ୍ମୀର ପୁଲିସକୁ ସହଯୋଗ କରୁଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଏବେ ନିଜ ଯବାନମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଫାୟାରିଂ ଅଭ୍ୟାସ କରାଇପାରିବ। ବିଶେଷକରି କଶ୍ମୀରର ପୁଲଓ୍ୱାମା ଜିଲ୍ଲାର ଲେଥପୋରାଠାରେ ଯବାନମାନଙ୍କୁ ଫାୟାରିଂ ପ୍ରଶିକ୍ଷଣ ଦିଆଯିବ। ଏ ନେଇ ଜମ୍ମୁ-କଶ୍ମୀର ଗୃହ ବିଭାଗ ଏକ ଅଧିସୂଚନା ଜାରି କରିଛି, ଯେଉଁଥିରେ ସିଆରପିଏଫକୁ ପୁଲଓ୍ୱାମା ଜିଲ୍ଲାର ଲେଥପୋରାଠାରେ ଫାୟାରିଂ ଅଭ୍ୟାସ କରିବାକୁ ଅନୁମତି ଦିଆଯାଇଛି।

ଜମ୍ମୁ-କଶ୍ମୀର ଗୃହ ବିଭାଗର ପ୍ରଧାନ ସଚିବ ଚନ୍ଦ୍ରେକର ଭାରତୀଙ୍କ ଦ୍ୱାରା ଜାରି ଏହି ଅଧିସୂଚନା ଅନୁସାରେ, ସିଆରପିଏଫକୁ ସମୟ ସମୟରେ ନିର୍ଦ୍ଦିଷ୍ଟ ଫାୟାରିଂ ପ୍ରାକ୍ଟିସ କ୍ଷେତ୍ରରେ ଅଭ୍ୟାସ କରିବାର ଅଧିକାର ପ୍ରଦାନ କରାଯାଇଛି। ଅଧିସୂଚନାରେ କୁହାଯାଇଛି ଯେ ଏହି ଆଦେଶ ଜାରି ହେବା ଦିନଠାରୁ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ସିଆରପିଏଫ ଏହି ଅଭ୍ୟାସ ଜାରି ରଖିପାରିବ। ତେବେ, ଏଥିପାଇଁ ସେମାନଙ୍କୁ ଫିଲ୍ଡ ଫାୟାରିଂ ଏବଂ ଆର୍ଟିଲେରୀ ପ୍ରାକ୍ଟିସ ଆକ୍ଟ, ୧୯୩୮ର ନିୟମାବଳୀର କଡ଼ାକଡ଼ି ପାଳନ କରିବାକୁ ହେବ।

ଉଲ୍ଲେଖଯୋଗ୍ୟ ଯେ ପୁଲଓ୍ୱାମା ଜିଲ୍ଲାର ଲେଥପୋରାଠାରେ ସିଆରପିଏଫର ଗ୍ରୁପ ସେଣ୍ଟର ରହିଛି। ଏହି ଅଞ୍ଚଳରେ ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଆତଙ୍କବାଦୀମାନେ ଏକ ବିସ୍ଫୋରଣ ଘଟାଇ ୪୦ ଜଣ ସିଆରପିଏଫ ଯବାନଙ୍କୁ ସହିଦ କରିଥିଲେ। ଏହି ଅଧିସୂଚନା ଜାରି ହେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଛି।

ଏହି ନିଷ୍ପତ୍ତି ସିଆରପିଏଫର ଯବାନମାନଙ୍କୁ ଅଧିକ ଦକ୍ଷ ଏବଂ ପ୍ରସ୍ତୁତ କରିବାରେ ସହାୟକ ହେବ, ଯାହା ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ଆହୁରି ଶକ୍ତିଶାଳୀ କରିବ।