ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଐତିହାସିକ କଟକ ବାଲିଯାତ୍ରାର ପ୍ଲଟ ନିଲାମ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଆସନ୍ତା ମାସ ୬ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ସର୍ବାଧିକ ଟଙ୍କା ଡାକିଥିବା ବିଡରଙ୍କୁ ପ୍ଲଟ୍ ମିଳିବ । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ଟି ଟେବୁଲରେ ୧୦ଟି ଟିମର ବ୍ୟବସ୍ଥା କରାଯାଇଛି । ବାରବାଟୀ ପ୍ୟାଲେସ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଲାମ ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରାଯାଇଛି । ଗତ ୨୮ ତାରିଖ ଦିନ ବାଲିଯାତ୍ରାର ଷ୍ଟଲ ପଞ୍ଜିକରଣ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ମୋଟ ୧୫ ଶହ ଜଣ ସେଥିପାଇଁ ଆବେଦନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୫ରୁ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା ପାଇଁ ପ୍ଲଟ ପଞ୍ଜିକରଣ ଆରମ୍ଭ ହୋଇଥିଲା । ଏଥର ବାଲିଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅନଲାଇନ ମାଧ୍ୟମରେ ପ୍ଲଟ ପଞ୍ଜିକରଣ କରାଯାଇଥିବା ବେଳେ ବ୍ୟବସାୟୀମାନେ ୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିଥିଲେ । ଚଳିତ ବର୍ଷ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏଥର ବଲିଉଡ ଗାୟକ ସୋନୁ ନିଗମ ଓ ସୁରେଶ ୱାଦେକର ସେମାନଙ୍କର କଳା ପ୍ରଦର୍ଶନ କରିବେ । ସେହିପରି ଏଥର ବାଲିଯାତ୍ରାରେ କଟକ ଇନ କଟକ ଥିମ୍ ରହିବ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସିନେମା । ସେହିପରି ‘ନୂଆ ଡ୍ରୋନ ଶୋ’ ଓ ‘ଲେଜର ଶୋ’ ବାଲିଯାତ୍ରାକୁ ନୂଆ ରଙ୍ଗ ଦେବ ବୋଲି ଆଶା କରାଯାଉଛି ।