fbpx

ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କଲେ କଟକ ଫ୍ୟାମିଲି କୋର୍ଟ

 

କଟକ: ଅଲଗା ହେବେନି ଅନୁଭବ-ବର୍ଷା ! ଓଲିଉଡ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ଲାଗିଛି ଏକ ବଡ଼ ଝଟ୍‌କା। ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଛନ୍ତି କଟକର ପରିବାର ଅଦାଲତ ବା ଫ୍ୟାମିଲି କୋର୍ଟ। ଏହା ସହିତ ତାଙ୍କ ପତ୍ନୀ ବର୍ଷା କରିଥିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି କୋର୍ଟ। ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ ଜୁଲାଇ ୧୬‌ରେ ପିଟିସନ୍ ଦାଖଲ କରିଥିଲେ। ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ କିନ୍ତୁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

୨୦୨୦ ଅକ୍ଟୋବର ୧୬ରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ତାହାକୁ ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇଥିଲେ। କିନ୍ତୁ ମଧ୍ୟସ୍ଥତା କେନ୍ଦ୍ରରେ ବିବାଦର ସମାଧାନ ହୋଇ ପାରି ନଥିଲା। ୨୦୨୧ ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟ ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ଏପ୍ରିଲ ୫ରୁ କଟକ ପରିବାର ଅଦାଲତରେ ଏହି ମାମଲା ଚାଲିଛି। ମାମଲାରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପୂର୍ବରୁ ଶେଷ ହୋଇ ସାରିଛି। ଅନୁଭବଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୀତା ଲୁଥ୍ରା, ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶାଶ୍ବତ ଆଚାର୍ଯ୍ୟ, ଜାଗୃତି ସାହୁ ଓ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ, ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଥିଲେ।

 

Get real time updates directly on you device, subscribe now.