ଡିଜିଟାଲ୍ ଆରେଷ୍ଟ କରି ଦୁଇ ମହିଳାଙ୍କୁ 9 ଘଣ୍ଟା ନିର୍ଯାତନା; କହିଲେ ଡ୍ରେସ ଖୋଲି ଚିହ୍ନ ଦେଖାଅ, ତାପରେ…

ସବୁ ସୀମା ପାର କଲେ ସାଇବର ଅପରାଧୀ । ଡିଜିଟାଲ ଆରେଷ୍ଟ ମାଧ୍ୟମରେ ଝିଅମାନଙ୍କୁ ନିବସ୍ତ୍ର କରି ଭିଡିଓ କଲେ ।

ବେଙ୍ଗାଲୁରୁ: ସବୁ ସୀମା ପାର କଲେ ସାଇବର ଅପରାଧୀ । ଡିଜିଟାଲ ଆରେଷ୍ଟ ମାଧ୍ୟମରେ ଝିଅମାନଙ୍କୁ ନିବସ୍ତ୍ର କରି ଭିଡିଓ କଲେ । ପରେ ସେମାନଙ୍କଠାରୁ 58 ହଜାର ଟଙ୍କା ଆଦାୟ କଲେ । କର୍ଣ୍ଣାଟକର ବାଙ୍ଗାଲୁରୁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ଅଭିଯୁକ୍ତମାନେ ମନି ଲଣ୍ଡରିଂ ଏବଂ ଚୋରା ଚାଲାଣ ବାହାନାରେ ଫୋନ୍ କରି ଦୁଇଜଣ ମହିଳାଙ୍କୁ ଡିଜିଟାଲ ଭାବରେ ଗିରଫ କରିବାକୁ ଧମକ ଦେଇଥିଲେ ଏବଂ ଫିଜିକାଲ ଚେକଅପ୍ ନାମରେ ସେମାନଙ୍କର ଭିଡିଓ ତିଆରି କରିଥିଲେ । ୯ ଘଣ୍ଟା ଧରି ଉଭୟ ମହିଳାଙ୍କୁ ନିର୍ଯ୍ଯାତନା ଦିଆଯାଇଥିଲା । ଏହା ପରେ, ମହିଳାମାନଙ୍କଠାରୁ ୫୮ ହଜାର ଟଙ୍କା ଆଦାୟ କରିନେଇଥିଲେ ଏହି ସାଇବର ଠକ ।

ପୀଡିତାମାନେ ଶେଷରେ ସେମାନଙ୍କ ବନ୍ଧୁମାନଙ୍କ ପରାମର୍ଶରେ ବାଙ୍ଗାଲୋର ଇଷ୍ଟ ଡିଭିଜନ ସେନ୍ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ, ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ପୂର୍ଣ୍ଣ ଘଟଣା କ’ଣ ?

ଥାଇଲ୍ୟାଣ୍ଡରେ ଜଣେ ଶିକ୍ଷୟିତ୍ରୀ ଭାବରେ କାମ କରୁଥିବା ଜଣେ ମହିଳା ତାଙ୍କ ପିଲାଦିନର ବନ୍ଧୁଙ୍କୁ ଭେଟିବା ପାଇଁ ବାଙ୍ଗାଲୋର ଆସିଥିଲେ। ମହିଳା ଜଣକ ତାଙ୍କ ବନ୍ଧୁଙ୍କ ଘରେ ଥିଲେ। ଏହି ସମୟରେ, ଜୁଲାଇ ୧୭ ତାରିଖ ଦିନ ପ୍ରାୟ ୧୧ଟା ସମୟରେ, ମହିଳା ଜଣକ ଏକ ଅଜଣା ନମ୍ବରରୁ ଏକ ଫୋନ୍ ପାଇଲେ। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ମୁମ୍ବାଇର କୋଲାବା ଷ୍ଟେସନରୁ ବୋଲି କହିଥିଲେ। ସେ ଜେଟ୍ ଏୟାରୱେଜ୍ ମନି ଲଣ୍ଡରିଂ ମାମଲାରେ ସମ୍ପୃକ୍ତ ଥିବା ଦାବି କରିଥିଲେ, ଯାହାକୁ ମହିଳା ଜଣକ ଗ୍ରହଣ ମଧ୍ୟ କରିଥିଲେ।

କୁହାଯାଉଛି ଯେ ଅଭିଯୁକ୍ତ ମହିଳାଙ୍କ ଡେବିଟ୍ କାର୍ଡ ନମ୍ବରକୁ ସଠିକ୍ ଭାବରେ କହିଥିଲେ ଏବଂ ଉଭୟଙ୍କୁ ଗିରଫ କରିବାକୁ ଧମକ ଦେଇଥିଲେ, ଯାହା ପରେ ମହିଳା ଜଣକ ଭୟଭୀତ ହୋଇଯାଇଥିଲେ।

ନକଲି ଆରେଷ୍ଟ ୱାରେଣ୍ଟ୍ ପଠାଇଥିଲେ

କିଛି ସମୟ ପରେ, ଠକମାନେ ମହିଳାମାନଙ୍କୁ ଏକ ନକଲି ଆରେଷ୍ଟ ୱାରେଣ୍ଟ ମଧ୍ୟ ପଠାଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ। ଭୟଭୀତ ମହିଳାମାନେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ 58477 ଟଙ୍କା ଟ୍ରାନ୍ସଫର କରିଥିଲେ। ଏହାପେର ଏହି ମାମଲାକୁ କ୍ଲୋଜ କରିବା ପାଇଁ ଶାରୀରିକ ପରୀକ୍ଷା ଆବଶ୍ୟକ। ସେ ଉଭୟ ବନ୍ଧୁଙ୍କୁ ପୋଷାକ ଖୋଲିବାକୁ ଏବଂ ସେମାନଙ୍କ ଶରୀରରେ ଥିବା ଚିହ୍ନ ଦେଖାଇବାକୁ ମଧ୍ୟ କହିଥିଲେ। ଅଭିଯୋଗ ପାଇବା ପରେ, ପୋଲିସ ବର୍ତ୍ତମାନ ମାମଲାର ତଦନ୍ତ କରୁଛି।