ନୂଆଦିଲ୍ଲୀ: ଦେଶରେ ସାଇବର ଠକେଇ ମାମଲା ପ୍ରତିଦିନ ଦେଖିବାକୁ ମିଳୁଛି । ବର୍ତ୍ତମାନ ଠକିବାର ନୂଆ ପନ୍ଥା ବି ଅବଲମ୍ବନ କରୁଛନ୍ତି ଠକ ଗୋଷ୍ଠୀ । ଏଭଳି ଏକ ମାମଲା ବର୍ତ୍ତମାନ ତାମିଲନାଡୁରେ ଘଟିଛି । ଏଠାରେ ହ୍ୟାକର୍ସ ‘ପିଏମ କିସାନ ଯୋଜନା’ ନାମରେ ଏକ ନକଲି ଆପ ଜରିଆରିରେ ଲୋକଙ୍କୁ ଠକୁଛନ୍ତି । ଏହି ଆପ ଯେଉଁମାନେ ବି ନିଜ ଫୋନରେ ଇନଷ୍ଟଲ କରୁଛନ୍ତି, ସେମାନଙ୍କ ଫୋନ ଆପେ ଆପେ ହ୍ୟାକ ହୋଇଯାଉଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..
ହ୍ୟାକର୍ସ ଏହି ନକଲି ଆପ ଜରିଆରେ ଆପଣଙ୍କ ଫୋନର ସମସ୍ତ ଆବଶ୍ୟକୀୟ ତଥ୍ୟ ଚୋରଇନେଇଥାଆନ୍ତି । ଆପ ଡାଉନଲୋଡ କରିବା ମାତ୍ରେ ହ୍ୟାକର୍ସ ଆପଣଙ୍କ ଫୋନର ଓଟିପି ଏବଂ ଅନ୍ୟ ବ୍ୟାଙ୍କିଙ୍ଗ ମେସେଜ ପର୍ଯ୍ୟନ୍ତ ପହଞ୍ଚିଯାଇଥାଆନ୍ତି । ଏହା ବ୍ୟତୀତ ଠକ ଆପଣଙ୍କ ଆଧାର ନମ୍ବର, ପ୍ୟାନ କାର୍ଡ ନମ୍ବର ଏବଂ ଜନ୍ମତିଥି ଭଳି ସୂଚନାମାନ ଚୋରାଇ ନିଅନ୍ତି । ଏହି ସମସ୍ତ ସୂଚନା ପ୍ରାପ୍ତ ହେବା ପରେ ହ୍ୟାକର୍ସ ଆପଣଙ୍କ ଫୋନକୁ ୟୁପିଆଇ ପେମେଣ୍ଟ ପାଇଁ ରେଜିଷ୍ଟର କରିନିଅନ୍ତି ଏବଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରିନିଅନ୍ତି ।
ହ୍ୟାକର୍ସ ସରକାରୀ ଯୋଜନାଗୁଡିକର ନାମରେ ଲୋକଙ୍କୁ ଭରଷା ଦେଇ, ସେମାନଙ୍କୁ ଠକୁଛନ୍ତି । ହ୍ୟାକର୍ସ ନକଲି ୱେବସାଇଟ ଜରିଆରେ ଆଧାର, ପ୍ୟାନ ଏବଂ ଅନ୍ୟ ସୂଚନା ଲୋକଙ୍କୁ ମାଗନ୍ତି । ଏହାପରେ ୟୁପିଆଇ ଆକାଉଣ୍ଟ ହ୍ୟାକ କରି ବ୍ୟାଙ୍କରୁ ଟଙ୍କା ବାହାର କରନ୍ତି । ସୂଚନା ମୁତାବକ, ଅନେକ ଲୋକେ ଏହିଭଳି ଠକେଇର ଶିକାର ହୋଇସାରିଛନ୍ତି ।