ବିପର୍ଯ୍ୟୟ ପ୍ରଭାବ: ୫ ମୃତ, ୩୭ ହଜାର ଲୋକ ସ୍ଥାନାନ୍ତର, ୯୫ ଟ୍ରେନ୍ ବାତିଲ

ରାଜକୋଟ:ଘୂର୍ଣ୍ଣଝଡ ବିପର୍ଯ୍ୟୟର ପ୍ରଭାବ ବଢିବାରେ ଲାଗିଛି । ଗୁଜୁରାଟ ସରକାର ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବା ଲାଗି ସବୁ ପ୍ରକାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଏହି କ୍ରମରେ ମଙ୍ଗଳବାର ସୁଦ୍ଧା ରାଜ୍ୟର ୮ ଜିଲ୍ଲାରୁ ପ୍ରାୟ ୩୭,୦୦୦ ଲୋକ ସ୍ଥାନାନ୍ତର ହୋଇସାରିଲେଣି । ଯେତେ ଯେତେ ଘୂର୍ଣ୍ଣଝଡ ବିପର୍ଯ୍ୟୟ ଗୁଜୁରାଟର ତଟୀୟ ଜିଲ୍ଲା ଆଡକୁ ଅଗ୍ରସର ହେଉଛି ସେତେ ସେତେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ମଙ୍ଗଳବାର ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏ ପର୍ଯ୍ୟନ୍ତ ଘୂର୍ଣ୍ଣଝଡ ବିପର୍ଯ୍ୟୟର ତାଣ୍ଡବରେ ୫ ଜଣ ମୃତ୍ୟୁ ବରଣ କଲେଣି ।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ସୂତ୍ର ଅନୁସାରେ ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣଝଡ ବିପର୍ଯ୍ୟୟ ଏବେ ଭୟଙ୍କର ଗମ୍ଭୀର ଘୂର୍ଣ୍ଣଝଡରୁ ଦୂର୍ବଳ ହେବାରେ ଲାଗିଲାଣି । କିନ୍ତୁ ଏହା ରାଜ୍ୟରେ ପ୍ରବେଶ କରିବା ସମୟରେ ବ୍ୟାପକ କ୍ଷତି ଘଟାଇବ । ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଘୂର୍ଣ୍ଣଝଡ ବିପର୍ଯ୍ୟୟର ପ୍ରଭାବରେ କଚ୍ଛ, ଦେବଭୂମି ଦ୍ୱାରକା, ଜାମନଗର ଓ ପୋର ବନ୍ଦରର ଭିନ୍ନ ଭିନ୍ନ ସ୍ଥାନରେ ଭୀଷଣ ବର୍ଷା ହେବ ।

ତେବେ ଘୂର୍ଣ୍ଣଝଡ ବିପର୍ଯ୍ୟୟରେ ଗୁଜୁରାଟର କଚ୍ଛ ଜିଲ୍ଲାର ଲୋକେ ସର୍ବାଧିକ ପ୍ରଭାବିତ ହେବାର ଅନୁମାନ ଥିବାରୁ ସେଠାରୁ କେବଳ ୧୪,୦୮୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଓ ଅନ୍ୟାନ୍ୟ ସ୍ଥାନରୁ ୩୨, ୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି । ଏହା ସହିତ ରାଜ୍ୟରେ ୯୫ ଟ୍ରେନ୍ ଚଳାଚଳକୁ ବି ବାତିଲ କରି ଦିଆଯାଇଛି ।