ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ୯୮ ପ୍ରତିଶତ ଉପଭୋକ୍ତାଙ୍କ ବିଜୁଳି ଯୋଗାଣ ସ୍ୱାଭାବିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପାରାଦୀପ, ମହାକାଳପଡ଼ା, ରାଜନଗର, ଭିତରକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ । କ୍ଷୟକ୍ଷତି ଆକଳନ ପରେ ଖୁବଶୀଘ୍ର ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ ।

ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ହେଲିକପ୍ଟର ଯୋଗେ ବାତ୍ୟାଞ୍ଚଳ ପରିଦର୍ଶନ କରି ସନ୍ଧ୍ୟାରେ ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ସମୀକ୍ଷା ପରେ ଗଣମାଧ୍ୟମ ଆଗରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ସମୁଦାୟ ୬୨୧୦ଟି ଆଶ୍ରୟସ୍ଥଳରେ ୮ ଲକ୍ଷରୁ ଅଧିକ ଲୋକ ରହିଥିଲେ । କିନ୍ତୁ ବର୍ତ୍ତମାନ ପ୍ରାୟ ସମସ୍ତେ ନିଜନିଜ ଘରକୁ ଫେରିଗଲେଣି । ଯେଉଁ କେତୋଟି ଗ୍ରାମ ପଞ୍ଚାୟତରେ ପାଣି ଜମି ରହିଛି ସେଠିକାର ଲୋକମାନେ ଏବେବି ଆଶ୍ରୟସ୍ଥଳୀରେ ଅଛନ୍ତି । ମାତ୍ର ୩୦ ହଜାର ଲୋକ ୪୭୦ ଟି ଆଶ୍ରୟସ୍ଥଳୀରେ ଅଛନ୍ତି । ବିଦ୍ୟୁତ୍ ଯୋଗାଣ ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୮ ପ୍ରତିଶତ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି ।

ସମୁଦାୟ ୨୨ ଲକ୍ଷ ୮୪ ହଜାର ଉପଭୋକ୍ତା ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୨ ଲକ୍ଷ ୩୨ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ସ୍ୱଭାବିକ କରାଯାଇଛି । କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅଳ୍ପ କେତୋଟି ଗ୍ରାମ ପଞ୍ଚାୟତ ଏବେବି ଜଳମଗ୍ନ ଅଛି । ତାହା ସତ୍ତେ୍ୱ ବି ବିଦ୍ୟୁତ୍ ଯୋଗାଣ କାର୍ଯ୍ୟ ଚାଲିଛି । ପାଣି କମିବା ପରେ ବିଦ୍ୟୁତ୍ ଯୋଗାଣ ଶତପ୍ରତିଶତ ସ୍ୱାଭାବିକ ହୋଇଯିବ । ୭ ହଜାରରୁ ଅଧିକ କର୍ମଚାରୀ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ନିୟୋଜିତ ଅଛନ୍ତି ବୋଲି ସେ କହିଥିଲେ । ବିଦ୍ୟୁତ୍ ପୁନଃ ଯୋଗାଣ କ୍ଷେତ୍ରରେ ଲୋକମାନେ କର୍ମଚାରୀଙ୍କୁ ସ୍ୱତଃ ପ୍ରବୃତ୍ତ ଭାବେ ସହଯୋଗ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଭାବିତ ଅଞ୍ଚଳର ମ୍ୟୁନିସପାଲଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଣପ୍ରଭାବିତ ଅଞ୍ଚଳରୁ ସଫେଇ କର୍ମଚାରୀ ଆଣି ରାସ୍ତାଘାଟ ପରିଷ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୃଷି କ୍ଷେତ୍ରର କ୍ଷୟକ୍ଷତି ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରାରମ୍ଭିକ ଆକଳନରୁ ଜଣାଯାଇଛି ଯେ, କୃଷି କ୍ଷେତ୍ରରେ କେନ୍ଦ୍ରାପଡା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ୧୨ ଟି ବ୍ଲକ୍ ର ୮୮୦ ଟି ଗ୍ରାମ ପଞ୍ଚାୟତ ଓ ୪୧୦୦ ଟି ଗ୍ରାମରେ ପ୍ରାୟ ୨ ଲକ୍ଷ ୨୧ ହଜାର ୮୦୦ ଏକର ଚାଷ ଜମିରେ ଫସଲ କ୍ଷତି ହୋଇଛି । ପ୍ରକୃତ ରିପୋର୍ଟ ଆସିବାପରେ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଥିଲେ । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୩୫ ଟି ଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ । ସମୁଦାୟ ୪୮୭୧ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା ଗୃହକୁ ଅଣାଯାଇଥିଲା । ସେଠାରେ ଏହି ସମୟ ମଧ୍ୟରେ ୨,୫୨୯ ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସବୁ ପ୍ରମୁଖ ରାସ୍ତା ଗୁଡିକରୁ ପ୍ରାୟ ସବୁ ଅବରୋଧ ହଟି ସାରିଛି ଏବଂ ବର୍ତ୍ତମାନ ଗମନା ଗମନରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଥିଲେ ।

ବନ୍ୟା ଭୟ ବର୍ତ୍ତମାନ ଆଉ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବୁଢାବଳଙ୍ଗ ନଦୀ ପୂର୍ବରୁ ବିପଦ ସଂକେତ ଉପରେ ଥିଲା । ତେବେ, ବର୍ତ୍ତମାନ ଜଳସ୍ତର ହ୍ରାସ ପାଇଛି । ଏବେ ଏହା ବିପଦ ସଂକେତ ତଳେ ଅଛି । ବିପଦ ସ୍ତର ୮.୧୩ ମିଟର ଥିବା ବେଲେ ବର୍ତ୍ତମାନ ଜଳସ୍ତର ୭.୨୦ ମିଟର ଅଛି ବୋଲି ସେ କହିଥିଲେ । ବିଭିନ୍ନ ଜାଗାରେ ଲୋକଙ୍କ ଘରେ ବାତ୍ୟା ଦ୍ୱାରା ଗଛ ଭାଙ୍ଗି ପଡିଥିବାରୁ ଅଗ୍ନିଶମ ବିଭାଗକୁ ପ୍ରାୟ ୬ ହଜାର ଫୋନ୍ କଲ୍ ଆସିଥିଲା ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଉପରେ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି । ବାତ୍ୟା ମୁକାବିଲାରେ ଭାରତ ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ସେ କହିଥିଲେ ଯେ ବାତ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ପରିମାଣର ଏନଡିଅରଏଫ୍ ଟିମ୍ ପଠାଇଥିଲେ । ଲୋକଙ୍କ ଜୀବନ ବଞ୍ଚାଇବାରେ ସେମାନଙ୍କ ଭୂମିକା ଖୁବ୍ ସହାୟକ ହୋଇଛି । ଏଥିପାଇଁ “ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି” ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।