fbpx

ବାତ୍ୟା ଆଶଙ୍କା ଘନୀଭୂତ: ଆନ୍ଧ୍ର ଓ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆମେରିକା ପାଣିପାଗ ବିଭାଗର ସୂଚନା

ନୂଆଦିଲ୍ଲୀ/ଭୁବନେଶ୍ୱର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି । ଏସବୁ ଭିତରେ ଆସନ୍ତା ୨୩ ତାରିଖ ବେଳକୁ ଏକ ବାତ୍ୟା ହେବାର ସମ୍ଭାବନା ନେଇ ଆମେରିକା ପାଣିପାଗ ବିଭାଗ ଟ୍ରପିକାଲ୍ ଟିଡବିଟସ ସୂଚନା ଦେଇଛି । ଆଣ୍ଡାମାନ ପୂର୍ବ ଉପକୂଳରେ ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ଥିବାବେଳେ ଏହା ଉତ୍ତର-ଆନ୍ଧ୍ର ପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି ।

ଆମେରିକାର ଟ୍ରପିକାଲ୍ ଟିଡବିଟସ ୱେବସାଇଟର ଜିଏଫଏସ୍ ମଡେଲ ଏପରି ଏକ ଚିତ୍ର ପ୍ରଦାନ କରି ପୂର୍ବାନୁମାନ କରିଛି ଯେ, ଅକ୍ଟୋବର ୨୧ ତାରିଖରେ ଆଣ୍ଡାମାନର ପୂର୍ବ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଉତ୍ତର- ପଶ୍ଚିମ ଦିଗରେ ଗତି କରିବ । ସମୁଦ୍ର ଉପରେ ଏହା ୩ ଦିନ ରହିବା ପରେ ଅଧିକ ବଳ ଗୋଟାଇ ବେଶ୍ ଶକ୍ତିଶାଳୀ ହେବାର ସମ୍ଭାବନା ଥିବା ଏହି ପାଣିପାଗ ସଂସ୍ଥା ସୂଚନା ଦେଇଛି ।

୨୧ ତାରିଖରେ ଲଘୁଚାପ ସୃଷ୍ଟି ହେବାବେଳକୁ କେନ୍ଦ୍ରସ୍ଥଳରେ ବାୟୁର ଚାପ ୧୦୦୩ ମିଲିବା ରହିଥିବ । ତେବେ ୨୩ କିମ୍ବା ୨୪ ତାରିଖ ବେଳକୁ ଏହା ୯୮୭ ମିଲିବାକୁ ଖସିଆସିବ । ବାୟୁର ଚାପ ଏଭଳି ସ୍ତରକୁ ଖସିବା ବାତ୍ୟା ଆଶଙ୍କାକୁ ଅଧିକ ଦୃଢ଼ୀଭୂତ କରୁଛି । ଏହି ବିଭାଗର ସୂଚନାନୁଯାୟୀ, ଏହି ଲଘୁଚାପର ଗତିପଥ ଉତ୍ତର-ପଶ୍ଚିମ ଦିଗକୁ ରହୁଛି । ଆଣ୍ଡମାନର ପୂର୍ବ ଉପକୂଳରୁ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଉତ୍ତର ଆନ୍ଧ୍ରପ୍ରଦେଶରେ ମାଡ଼ ହେବାର ସମ୍ଭାବନା ରହିଛି । କିନ୍ତୁ ଗତିପଥରେ ସାମାନ୍ୟ ପରିବର୍ତ୍ତନ ହେଲେ ଏହା ଓଡ଼ିଶାରେ ମାଡ଼ କରିବ । ଏବେ ସମୁଦ୍ର ଜଳପତ୍ତନର ତାପମାତ୍ରା ୨୯ରୁ ୩୦ ଡିଗ୍ରୀ ରହୁଥିବାରୁ ବାତ୍ୟା ସୃଷ୍ଟି ପାଇଁ ଏଭଳି ପାଗ ବେଶ୍ ଅନୁକୂଳ ହେବ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ୨୧ ତାରିଖ ପୂର୍ବରୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୩ରୁ ୧୯ ତାରିଖ ଭିତରେ ଏହା ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି । ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ହୋଇ ଆନ୍ଧ୍ର ଉପକୂଳକୁ ଗତି କରିବ ବୋଲି ଆକଳନ କରାଯାଉଛି । ସେହିଭଳି ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ୧୭ ତାରିଖରେ ଦକ୍ଷିଣ-ଥାଇଲାଣ୍ଡ ଉପକୂଳ ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ଥିବାବେଳେ ଏହା ତାମିଲନାଡୁ ଉପକୂଳକୁ ମୁହାଁଇବ । ତେବେ ଓଡ଼ିଶାରେ ଏହାର ପ୍ରଭାବ ରହିବ ଓ ଭଲ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି ।

Get real time updates directly on you device, subscribe now.