fbpx

ମେ’ରେ ବାତ୍ୟା ଭୟ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ୪ରେ ଘୂର୍ଣ୍ଣିବଳୟ , ୬ରେ ସୁଦ୍ଧା ଲଘୁଚାପ ସମ୍ଭାବନା, ଗତିପଥ ନେଇ ମିଳିନି ସ୍ପଷ୍ଟ ସୂଚନା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ୪ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଅଧିକ ଘନୀଭୂତ ହୋଇ ୬ ତାରିଖ ସୁଦ୍ଧା ଲଘୁଚାପର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ତେବେ ଏହି ଲଘୁଚାପ ଯଦି ବାତ୍ୟାର ରୂପ ନିଏ ତେବେ ଏହାର ଗତିପଥ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ୫ ତାରିଖ ବେଳକୁ ଏନେଇ ସ୍ଥିତି ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।

ସେ ଆହୁରି କହିଛନ୍ତିଯେ, ଏହା ଓଡ଼ିଶା ଉପରେ କେତେ ପ୍ରଭାବ ପକାଇବ ସେ ନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସେହିପରି ବାତ୍ୟାର ଗତିପଥ କେଉଁ ଆଡ଼କୁ ରହିବ ତାହା ମଧ୍ୟ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ସେ କହିଥିଲେ ମଇ ମାସରେ ବାତ୍ୟା ହେବା କିଛି ନୂଆ କଥା ନୁହେଁ । ସାଧାରଣତଃ ମଇ ମାସରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହାର ତୀବ୍ରତା ଅଧିକ ରହିବା ସମ୍ଭାବନା ରହିଥାଏ । ଶ୍ରୀ ମହାପାତ୍ର କହିଥିଲେ, ଲଘୁଚାପ ବାତ୍ୟାର ରୂପ ନେବା ପରେ ଏ ବାବଦରେ ସ୍ପଷ୍ଟ ସୂଚନା ଦିଆଯାଇପାରିବ । ବିଶେଷ ଭାବେ ପ୍ରାକ୍‌ ମୌସୁମୀ ଓ ମୌସୁମୀ ଋତୁ ପରେ ହିଁ ଭାରତ ମହାସାଗରରେ ୨ରୁ ୪ଟି ବାତ୍ୟା ସୃଷ୍ଟି ହୋଇଥାଏ । ମାର୍ଚ୍ଚରୁ ଜୁନ୍‌ ଓ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହି ବାତ୍ୟା ବଳ ନେଇ ଉପକୂଳରେ ମାଡ଼ କରିଥାଏ । ତେଣୁ ମଇ କିମ୍ବା ନଭେମ୍ବରରେ ବାତ୍ୟା ଆସିଲେ ଏହାର ତୀବ୍ରତା ସାଧାରଣତଃ ଅଧିକ ରହିଥାଏ ।

ତେଣୁ ଆସନ୍ତା ୬ ତାରିଖରେ ଆକଳନ କରାଯାଉଥିବା ଲଘୁଚାପ କ୍ଷେତ୍ର ରୂପ ନେବା ପରେ ହିଁ ସବୁକିଛି ସ୍ପଷ୍ଟ ହେବ । ସେହିପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସେ କହିଛନ୍ତି ଯେ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କିମ୍ବା ଅଂଶୁଘାତର କୌଣସି ଆଶଙ୍କା ନାହିଁ ।ଆଜି କାଳବୈଶାଖୀର ପ୍ରଭାବ ଅନୁଭୂତ ହେବା ସହ ଏହା ୩ ଦିନ ଲାଗି ରହିବ ବୋଲି ସେ କହିଛନ୍ତି । ସେହିପରି ମେ ମାସରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ କମ୍‌ ରହିବ । ଦିନର ତାପମାତ୍ରା ହ୍ରାସ ପାଇବ । ମେ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଥିବା ସେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.