fbpx
BSKY SKY
BSKY SKY

ଦୁଇଶହ ପରିବାର ୩ ମାସ ହେଲା ଜଳବନ୍ଦୀ, ପ୍ରଶାସନ ଶୋଇଛି

BSKY

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହା ପଞ୍ଚାୟତ ୯ ନଂ ଓ ୭ ନଂ ୱାର୍ଡର ଦୁଇ ଶହ ପରିବାର ୩ ମାସ ଧରି ଜଳଘେରିରେ ଅଛନ୍ତି । ହେଲେ ଶୋଇପଡ଼ିଛି ପ୍ରଶାସନ । ୯ନଂ ୱାର୍ଡର ୧୫୦ ପରିବାର ଜଳଘେରିରେ ଫସି ରହିଛନ୍ତି । ଗତ ୟଶ୍ ବାତ୍ୟାରେ ହୋଇଥିବା ବର୍ଷା ଜଳ ଅଟକି ରହିଥିବାବେଳେ ପୁଣି ବର୍ତ୍ତମାନ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ସମସ୍ୟା ବଢ଼ି ଯାଇଛି । ରାସ୍ତାରେ ଆଣ୍ଠୁଏ ପାଣିରେ ୩ ମାସ ଧରି ଲୋକେ କଲବଲ ହେଉଛନ୍ତି ।

ସେହିପରି ୭ନଂ ୱାର୍ଡର ୫୦ଟି ପରିବାରର ଲୋକେ ଗଲା ବାତ୍ୟା ଜଳ ଓ ବର୍ଷା ପାଣିରେ ବାନ୍ଧି ହୋଇ ରହିଛନ୍ତି । କେତେକ ଝୁମ୍ପୁଡ଼ି ଘର ଭୁଶୁଡ଼ି ପଡ଼ିବା ସହ ୩ ଗୋରୁ ମରିଥିବା ସୂଚନା ମିଳିଛି । ଜଳ ନିଷ୍କାସନ ପାଇଁ ୭ ନଂ ୱାର୍ଡବାସୀ ଗୁହାରୀ କରିଥିଲେ ସୁଦ୍ଧା ପ୍ରଶାସନ ତରଫରୁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନି । ୨ଟି ୱାର୍ଡରୁ ଜଳ ନିଷ୍କାସନ ପାଇଁ ପୂର୍ବରୁ ଏକ ନାଳ ଥିଳାବେଳେ ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ତାକୁ ପୋତି ନିଜ ଅଧୀନକୁ ନେଇଯିବ ଫଳରେ ସମସ୍ୟା ବଢ଼ିଛି ବୋଲି ଲୋକେ ମତ ଦେଇଛନ୍ତି ।

ଅନ୍ୟପକ୍ଷରେ ଦୀର୍ଘଦିନ ଧରି ଜଳ ଜମାଟ ବାନ୍ଧିବା ହେତୁ ଦୁଇଟି ୱାର୍ଡର ଛୋଟ ଛୋଟ ପିଲାଙ୍କୁ ୩ ମାସ ଧରି ଥଣ୍ଡା ଜର କାଶ ଲାଗି ରହିଛି । ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆନଗଲେ ୨୦୦ ପରିବାରର ଲୋକ ବାହାନଗା-ପାଇକସ୍ତା ତହସିଲ ସମ୍ମୁଖରେ ଧାରଣା ଦେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ତହସିଲଦାର ରାଜେନ୍ଦ୍ର ନାରାୟଣ କର କହିଛନ୍ତି ଯେ ଦୁଇଟି ୱାର୍ଡର ଜମା ହୋଇଥିବା ଜଳ ଖୁବଶୀଘ୍ର ନିଷ୍କାସନ କରିବା ବ୍ୟବସ୍ଥା କରାଯିବ ।

Get real time updates directly on you device, subscribe now.