ଦବିଲା ବାଉରିଆକଣ ଦେବୀ ନଦୀବନ୍ଧ; ଯାଞ୍ଚ କରିବାକୁ ଆସୁନାହାନ୍ତି ବିଭାଗୀୟ ଅଧିକାରୀ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକ

ଦଶ ବର୍ଷ ତଳେ ଅନ୍ଧାର ରାତିରେ ବାଲି ପକାଇ କରିଥିଲେ ମରାମତି; ଦୋଷ ଏଡ଼ାଇବାକୁ ବସିଛି ଜଳସେଚନ ବିଭାଗ

କାକଟପୁର: ଦବିଲା ବାଉରିଆକଣ ଦେବୀ ନଦୀ ବନ୍ଧ । ବନ୍ଧରେ ସୃଷ୍ଟି ହେଲା ବିରାଟ ଫାଟ । ଗୋଟେ ପଟ ବନ୍ଧ ଛଅ ଇଞ୍ଚ ଦବିଲା । ଯାହାକୁ ନେଇ କାକଟପୁର ଅଂଚଳରେ ସୃଷ୍ଟି ହେଇଛି ଭୟର ବାତାବରଣ । ଚଳିତ ବନ୍ୟା ଜଳ ଛାଡିଯିବା ପରେ ସୃଷ୍ଟି ହେଇଛି ଏହି ଦୁର୍ଦ୍ଧଶା । ବନ୍ଧ ସୁରକ୍ଷା ଯାଞ୍ଚ ପାଇଁ କେବେ ବି ଆସୁନାହାନ୍ତି ଜଳସେଚନ ବିଭାଗ ଅଧିକାରୀ । ହଁ ଆଜ୍ଞା କାକଟପୁର ଅଂଚଳକୁ ସମସ୍ତ ବନ୍ୟାରୁ ରକ୍ଷା କରିଛି କେବଳ ବାଉରିଆକଣ ଦେବୀ ନଦୀ ବନ୍ଧ । ଯଦି ଏହି ବନ୍ଧ ଧସି ଯାଏ ତାହେଲେ ନଦୀରେ ମିଶିଯିବ ଅନେକ ଗ୍ରାମ । ତଥାପି ଫାଟକୁ ଅଣଦେଖା କରିଛି ପ୍ରଶାସନ । ଦେବୀ ନଦୀ ବନ୍ଧ ଉପରେ ପୁରା ପାଞ୍ଚଶହ ମିଟର ପର୍ଯ୍ୟନ୍ତ ଫ୍ଧଙ୍କ ସୃଷ୍ଟି ହେଇଛି । କେଉଁ ପରିସ୍ଥିତିରେ ଏହା ଦବି ଧସି ଯିବ କହିହେବନି । ଏହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ବର୍ଷିଆନ ନେତା ସୁରେନ୍ଦ୍ର ନାଥ ନାୟକଙ୍କ ଅବଦାନରେ ସୁଦୃଢ ଭାବେ ନିର୍ମାଣ କରାଯାଇଥିଲା ଏହି ସେତୁ ବନ୍ଧ । ସେବେଠୁ ଆଜି ପର୍ଯ୍ୟନ୍ତ ଯେତେବେଳେ ବି ମହାନଦୀରେ ବନ୍ୟା ଜଳ ପ୍ରବେଶ କରି ଦେବୀ ନଦୀରେ ବନ୍ୟାସ୍ତର ବିପଦ ସଂକେତ ଉପରେ ଆସେ । ଲୋକମାନେ ଆତଙ୍କିତ ହୁଅନ୍ତି ନାହିଁ । କାରଣ ବାଉରିଆକଣ ଦେବୀ ବନ୍ଧ ତାଙ୍କର ଏକମାତ୍ର ସୁରକ୍ଷା କବଚ । କିନ୍ତୁ ଦୁର୍ଭାଗ୍ୟର କଥା ଆଜି ସେହି ସୁରକ୍ଷା କବଚ କେତେ ସୁରକ୍ଷିତ ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ହେଲେ ଦୀର୍ଘ ବର୍ଷ ହେବ ବିଭାଗୀୟ ଅଧିକାରୀ ଗାଦିରେ ବସି କେବେ ବି ଏହାକୁ ଯାଞ୍ଚ କରିବାକୁ ଆସୁନାହାନ୍ତି । ଦଶ ବର୍ଷ ତଳେ ଏହି ବନ୍ଧକୁ ମରାମତି କରାଯାଇଥିଲା । କିଛି ମାସ ପୂର୍ବରୁ ଏବାବଦରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଠିକାଦାର ରାତି ରାତି ସୃଷ୍ଟି ହେଇଥିବା ଗର୍ତ୍ତରେ ବାଲି ପକାଇ ସମସ୍ୟାକୁ ଅନ୍ଧାରରେ ସମାଧାନ କରିଥିଲେ । କିନ୍ତୁ ଆଜିର ବାସ୍ତବିକ ଦୃଶ୍ୟକୁ କିପରି ଏଡାଇଦେବ ଜଳସେଚନ ବିଭାଗ ?