fbpx

Exclusive: କେମିତି ଘଟିଥିଲା କରମଣ୍ଡଳ ଦୁର୍ଘଟଣା, ଦେଖନ୍ତୁ ମୃତ୍ୟୁ କିପରି ରଚିଥିଲା ତାଣ୍ଡବ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ ଯାତ୍ରୀ ଅକାଳରେ ମୃତ୍ୟୁବରଣ କରିଥିଲେ । ଏହି ଭୟଙ୍କର ଦୁର୍ଘଟଣାକୁ ନେଇ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଥିଲା । ଇଣ୍ଟରଲକିଂ ଜନିତ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ସିବିଆଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ଘଟଣାକୁ ଏବେ ୫ ଦିନ ପୂରି ଯାଇଥିବା ଏବେ ବି ବହୁ ମର ଶରୀରକୁ ଚିହ୍ନଟ କରାଯାଇ ପାରିନାହିଁ । ପଶ୍ଚିମବଙ୍ଗ, ତାମିଲନାଡ଼ୁ, ବିହାର ଆଦି ବିଭିନ୍ନ ରାଜ୍ୟରୁ ସମ୍ପର୍କୀୟମାନେ ମୃତକଙ୍କ ଶବ ଚିହ୍ନଟ ପାଇଁ ଓଡ଼ିଶାକୁ ଆସିଛନ୍ତି । ଏବେ ବି ବହୁ ମୃତକଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ବ୍ୟାକୁଳ ହୋଇ ଖୋଜୁଛନ୍ତି । ଏହି ଚିହ୍ନଟ ପ୍ରକ୍ରିୟାକୁ ସହଜ କରିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ୩ଟି ୱେବସାଇଟ ମାଧ୍ୟମରେ ମୃତକଙ୍କ ଫଟୋ ଓ ତଥ୍ୟ ଜାରି କରାଯାଇଛି । କେନ୍ଦ୍ର, ରେଳ ମନ୍ତ୍ରଣାଳୟ, ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ଏଥିସହିତ ବହୁ ଶିଳ୍ପପତି, କ୍ରୀଡ଼ାବିତ, ସେଲିବ୍ରେଟିମାନେ ମଧ୍ୟ ପୀଡ଼ିତଙ୍କ ପରିବାର ପ୍ରତି ସହଯୋଗର ହାତ ବଢ଼ାଇଛନ୍ତି ।

ତେବେ ଏହା ମଧ୍ୟରେ କରମଣ୍ଡଳ ଟ୍ରେନ ଦୁର୍ଘଟଣା ପୂର୍ବର ଏକ ଭିଡିଓ ସାମ୍ନାକୁ ଆସିଛି । ବଗି ଭିତରେ ଜଣେ କର୍ମଚାରୀ ସଫେଇ କରୁଥିବା ବେଳେ ନିକଟରେ କିଛି ଯାତ୍ରୀ ଶୋଇଥିବା ଦେଖାଯାଉଛି । ତେବେ ହଠାତ୍ ଏକ ପ୍ରଚଣ୍ଡ ଶବ୍ଦ ଶୁଣାଯାଉଛି । ଏହାପରେ ଯାତ୍ରୀଙ୍କର କରୁଣା ଚିତ୍କାର ମଧ୍ୟ ଶୁଭୁଛି । ଅଚାନକ କ’ଣ ଘଟିଗଲା କେହି ଜାଣିପାରୁ ନାହାନ୍ତି । ଏହି ଭିଡିଓର ସତ୍ୟତା ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହା ଏବେ ବହୁତ ଭାଇରାଲ ହେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.