fbpx

ସହଜ ହେବ ମହାପ୍ରଭୁଙ୍କ ଦର୍ଶନ, ଏସି ଟନେଲ ଦେଇ ଶ୍ରୀମନ୍ଦିର ଯିବେ ଶ୍ରଦ୍ଧାଳୁ: ନିର୍ମାଣ ପ୍ରକ୍ରିୟା ଆରମ୍ଭ

ଓଡିଶା ଭାସ୍କର: ଏଣିକି ସହଜ ହେବ ମହାପ୍ରଭୁଙ୍କ ଦର୍ଶନ। ଏସି ଟନେଲ ଦେଇ ଶ୍ରୀମନ୍ଦିର ଯିବେ ଶ୍ରଦ୍ଧାଳୁ। ଯେଉଁଥିପାଇଁ ସେଂଟ୍ରାଲ ଏସି ଟନେଲ ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ତେବେ ନୂଆବର୍ଷରୁ ଭକ୍ତମାନେ ଏଭଳି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ, ମରଚିକୋଟ ଛକରୁ ଶ୍ରୀନଅର ଓ ଶ୍ରୀମନ୍ଦିର ଚତୁପାର୍ଶ୍ଵରୁ ଉଠାଦୋକାନୀଙ୍କୁ ହଟାଯାଇଛି। ଏଥି ସହିତ ମରଚିକୋଟ ଛକର ବଡଦାଣ୍ଡ ଭେଣ୍ଡିଂ ଜୋନ୍ ମୁକ୍ତ ହୋଇଛି। ଏହା ସହ ଏସି ଟନେଲ୍‌ ଛାୟା ସେଡ୍ ପାଇଁ ଆଜିଠାରୁ ସର୍ଭେ ଆରମ୍ଭ ହୋଇଯାଇଛି। ୮୪ ମିଟର ଲମ୍ବା ଓ ୧୨ ମିଟର ଓସାରର ଏହି ଟନେଲର ନିର୍ମାଣ କାର୍ୟ୍ୟ ଚଳିତ ଡିସେମ୍ବର ୨୫ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ କହିଛନ୍ତି। ଏହା ସହ ଶ୍ରୀ ସାହୁ କହିଛନ୍ତି, ପୁରୀ ବଡଦାଣ୍ଡ ‘ନୋ ଭେଣ୍ଡିଂ ଜୋନ୍’ ହେବ। ସେହିପରି ଭକ୍ତଙ୍କ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏହି ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ମରଚିକୋଟ ଛକର ଉଭୟ ପାର୍ଶ୍ୱରେ ଥିବା ପାଞ୍ଚଶହରୁ ଉର୍ଦ୍ଧ୍ଵ ଉଠାଦୋକାନକୁ ହଟାଯାଇ ସେମାନଙ୍କୁ ଜଗନ୍ନାଥ ବଲ୍ଲଭରେ ଭେଣ୍ଡିଂ ଜୋନ୍ କରାଯାଇ ଥଇଥାନ କରାଯାଉଛି। ଏଥିପାଇଁ କ୍ଷତିପୂରଣ ବାବଦରେ ଦୋକାନ ପିଛା ମାସିକ ୧୫ହଜାର ଟଙ୍କା ଦୁଇମାସ ଯାଏଁ ପ୍ରଦାନ କରାଯିବ।

ଅନ୍ୟପଟେ ଟନେଲ ନିର୍ମାଣ ଠିକା ସଂସ୍ଥାର କର୍ମଚାରୀ ଅନିଲ ନାୟକ କହିଛନ୍ତି, ଆଗାମୀ ଦିନରେ ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ ହେବ। ଏହା ସହ ନୂଆବର୍ଷରେ ଭକ୍ତମାନେ ନୂଆ ଅନୁଭୁତି ପାଇପାରିବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏବେ ସେଣ୍ଟ୍ରାଲ ଏସି ଟନେଲ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ୟ୍ୟାୟରେ ସେଡ୍ ନିର୍ମାଣ ପାଇଁ ଲ୍ୟାଣ୍ଡ ସର୍ଭେ ହେଉଛି। ଡିଜାଇନ ଅନୁସାରେ ଏହା ୮୪ମିଟର ଲମ୍ବା, ୧୨ମିଟର ଚଉଡ଼ା ଓ ୫ଲେୟାର ବିଶିଷ୍ଟ ହେବ। ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ୟ୍ୟାଳୟ ପର୍ୟ୍ୟନ୍ତ ଏହି ଟନେଲ ବଡଦାଣ୍ଡର ଶ୍ରୀକୃଷ୍ଣ ସିନେମା ହଲ ଗଳି ପାର୍ଶ୍ୱରେ ନିର୍ମାଣ କରାଯାଉଛି। ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ଏନେଇ ଠିକାସଂସ୍ଥା ଦ୍ୱାରା ସର୍ଭେ କରାଯାଇ ନିର୍ମାଣ ଆରମ୍ଭ କରାଯାଉଛି। ଏହି ଲମ୍ବା ସେଡରେ ପ୍ରାୟ ୧୫ଟି ଖୁଣ୍ଟି ଓ ସଂପୂର୍ଣ୍ଣ ପାଲ ଆଚ୍ଛାଦିତ ଏସି ଟନେଲ ଡିଜାଇନ ସେଡ୍ ସହ ଷ୍ଟିଲ ବେରିକେଡ, ବସିବା ପାଇଁ ବ୍ୟବସ୍ଥା ଆଦି ସୁବିଧା କରାଯାଉଛି। ଡିସେମ୍ବର୨୫ ସୁଦ୍ଧା ଏହାର ନିର୍ମାଣ କାର୍ୟ୍ୟ ସାରିବା ପାଇଁ ନିର୍ଦ୍ଦେଶ ରହିଛି।

 

Get real time updates directly on you device, subscribe now.